ରାଜ୍ୟ

କୋଟିଆରେ ପୁଣି ଆନ୍ଧ୍ର ଆକ୍ଟିଭ୍, ଉପରସେମ୍ବି ଗାଁରେ ବିଶାଳ ହେଲଥ୍ କ୍ୟାମ୍ପ

କୋରାପୁଟ,୨୩|୫(ସପ୍ର): କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ପୁଣି ଆନ୍ଧ୍ର ଆକ୍ଟିଭ୍ ହୋଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପକ୍ଷରୁ ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଏକ ବୃହତ୍ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ୱାସ୍ଥ୍ୟ ଶିବିର ଆନ୍ଧ୍ର ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ଚର୍ଚ୍ଚାକୁ ଆହୁରି ସରଗରମ କରିଛି। ସୂଚନା ଅନୁଯାୟୀ ଆନ୍ଧ୍ର ପକ୍ଷରୁ ଆସିଥିବା ଡାକ୍ତରୀ ଦଳ ଉପରସେମ୍ବି ଗ୍ରାମରେ ଦିନ ସାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଚଲାଇଥିଲେ। ଶିବିରରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି କ୍ୟାମ୍ପରେ ଆଖପାଖ ଅଞ୍ଚଳର ଅନେକ ଲୋକ ଯୋଗଦେଇ ଚିକିତ୍ସା ସେବା ନେଇଥିବା ଜଣାପଡ଼ିଛି। କ୍ୟାମ୍ପ ଚାଲିଥିବା ସମୟରେ ଆନ୍ଧ୍ର ପୋଲିସ ମୁତୟନ ହୋଇ ସୁରକ୍ଷା ବ୍ୟବସ୍ଥା ସମ୍ଭାଳୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ପୋଲିସ ସୁରକ୍ଷା ମଧ୍ୟରେ ଏଭଳି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। ଅନ୍ୟପଟେ କୋରାପୁଟ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ ଆନ୍ଧ୍ରର ଅନୁପ୍ରବେଶ ପୁଣିଥରେ କୋଟିଆ ପ୍ରସଙ୍ଗକୁ ଚର୍ଚ୍ଚାକୁ  ଆଣିଛି। ସୀମା ବିବାଦକୁ ନେଇ ପୂର୍ବରୁ ଅନେକଥର ଦୁଇ ରାଜ୍ୟ ମଧ୍ୟରେ ଲୁଚକାଳି ଖେଳ ଚାଲିଥିବା ବେଳେ ଆଗାମୀ ଦିନରେ ଆହୁରି ରାଜନୈତିକ ଓ ପ୍ରଶାସନିକ ଚର୍ଚ୍ଚାକୁ ବଢ଼ାଇପାରେ ବୋଲି ଆଲୋଚନା ହେଉଛି। ଆନ୍ଧ୍ରର ପୋଲିସ ସୁରକ୍ଷା ବଳୟରେ ଅନୁପ୍ରବେଶକୁ ନେଇ ପଟାଙ୍ଗି ଜିଲ୍ଲା ପରିଷଦ ଜୋନ୍ ୧ ଟିକାଇ ଗେମେଲ ନିନ୍ଦା କରିବା ସହ ପ୍ରଶାସନ ସଜାଗ ରହିବାକୁ ଅନୁରୋଧ କରିଛନ୍ତି। ଆନ୍ଧ୍ର ପାଦେ ଆଗକୁ ଯାଇ ଅନୁପ୍ରବେଶ କରିଥିବା ବେଳେ ଏହାକୁ ରୋକା ନଗଲେ ଆଗକୁ ସ୍ଥିତି ସଙ୍ଗିନ ହେବ ବୋଲି କହିଛନ୍ତି। ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଘଟଣାକୁ ନିନ୍ଦା କରିବା ସହ ରାଜ୍ୟ ସରକାର କୋଟିଆର ବିକାଶକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେଉଥିବା କଥା କେବଳ ଭାଷଣରେ ରହିଯାଇଛି ବୋଲି କହିଛନ୍ତି। କୋଟିଆ ପାଇଁ ପୂର୍ବ ସରକାର ସହ ତତ୍କାଳୀନ ସରକାର ଭୋଟ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ମେଗା କ୍ୟାମ୍ପ ଆୟୋଜନ କରାଯାଇଥିଲା। ତେବେ ନିକଟରେ କୋଟିଆ ଥାନା ଥିବାବେଳେ ଅଧିକାରୀ କେମିତି ଜାଣି ପାରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

 

Leave a Reply

Your email address will not be published. Required fields are marked *