ବିପଦରେ ଯୁଦ୍ଧ ସମାପ୍ତ ଚୁକ୍ତି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଥରିଲା ଲେବାନନ୍: ୧୬ ମୃତ
ଲେବାନନ୍: ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଗୁରୁବାର ଓ ଶୁକ୍ରବାର ରାତିରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଲେବାନନ୍ରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନ୍ ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ହିଜବୁଲ୍ଲା ଅଞ୍ଚଳରେ ତୀବ୍ର ସଂଘର୍ଷ ରିପୋର୍ଟ ପରେ ଏହାର ସେନା ରାତିସାରା ଦକ୍ଷିଣ ଲେବାନନରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା । ଲେବାନନ୍ ଉପରେ ଇସ୍ରାଏଲର ଏହି ଆକ୍ରମଣ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ହୋଇଥିବା ସଦ୍ୟତମ ଚୁକ୍ତିକୁ ବିପଦରେ ପକାଇଛି। ଇସ୍ରାଏଲର ଚାରି ଜଣ ସୈନିକ ଏହି ସଂଘର୍ଷରେ ନିହତ ହୋଇଥିବା କୁହାଯାଇଛି। ନିହତ ସୈନିକଙ୍କ ମଧ୍ୟରେ ଜଣେ ଲେଫନାଣ୍ଟ କର୍ଣ୍ଣେଲ ଅଛନ୍ତି ଓ ଅନ୍ୟମାନଙ୍କ ପରିଚୟ ମିଳିପାରିନି। ଲେବାନନରେ ଜାରି ଯୁଦ୍ଧ ନୂତନ ସ୍ୱାକ୍ଷରିତ ଚୁକ୍ତିକୁ ଭାଙ୍ଗିପାରେ। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନର ସମ୍ମୁଖୀନ ହେବାକୁ ଥିବା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଲେବାନନ୍ରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ହିଜବୁଲ୍ଲା ବିପଦ ଦୂର ନହେବା ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଲେବାନନରେ ରହିବ। ଇରାନ ଯୁଦ୍ଧର ସ୍ଥାୟୀ ସମାପ୍ତି ପାଇଁ ଇରାନ ଓ ଆମେରିକା ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଯୋଜନାବଦ୍ଧ ଆଲୋଚନା ବିଳମ୍ବିତ ହେବା ପରେ ଏହି ଆକ୍ରମଣ ହୋଇଛି। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଗୁରୁବାର ସ୍ୱିଜରଲ୍ୟାଣ୍ଡ ଗସ୍ତକୁ ସ୍ଥଗିତ ରଖିଛନ୍ତି।

