ଜାତୀୟତାଜା ଖବର

ବଢ଼ୁଛି ଅନୁପ୍ରବେଶକାରୀଙ୍କ ଦୈରାତ୍ମ୍ୟ ଜିଲ୍ଲାରେ ୧୪୦୮ ଜଣ ବାଂଲାଦେଶୀ ଚିହ୍ନଟ

ମାଲକାନଗିରି: ମାଲକାନଗିରିରେ ଯୁଗ ଯୁଗ ଧରି ବଢ଼ି ଚାଲିଛି ଅନୁପ୍ରବେଶକାରୀଙ୍କ ଦୈରାତ୍ମ୍ୟ । ଆଦିବାସୀଙ୍କ ଜମି ହଡ଼ପ କରି ସ୍ଥାୟୀ ବାସସ୍ଥାନ ନିର୍ମାଣ କରି ରହୁଛନ୍ତି। ସେମାନଙ୍କ ନିକଟରେ ଭାରତୀୟ ବୋଲି କୌଣସି ପ୍ରମାଣ ନାହିଁ। ସରକାରଙ୍କ ନିର୍ଦ୍ଦେଶରେ ଏକ ସର୍ଭେ ପରେ ଜିଲ୍ଲାରେ ୧୪୦୮ ଜଣ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୨୪ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଓଡ଼ିଶାରେ ମଧ୍ୟ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ସେମାନଙ୍କୁ ବିଦା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଏକ ଟିମ୍ ଏହାର ଯାଞ୍ଚ କାର୍ଯ୍ୟ କରୁଛନ୍ତି। ସୂଚନା ଥାଉକି, ୧୯୭୧ ପୂର୍ବରୁ ୩୨୧ ଜଣ ଅନୁପ୍ରବେଶକାରୀ ମାଲକାନଗିରିରେ ପ୍ରବେଶ କରିଥିବା ବେଳେ ଚଳିତ ବର୍ଷ ୫୪୪ ଜଣ ଅନୁପ୍ରବେଶକାରୀ ମାଲକାନଗିରିକୁ ଆସିଥିବା ଚିହ୍ନଟ କରାଯାଇଛି। ବର୍ତ୍ତମାନ ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଏସପି ଆର.କେ ଦାସ, ସିଡିଏମଓ ଦଳମଣି ପ୍ରଧାନ ପ୍ରମୁଖ ସମେତ ରାଜସ୍ବ ବିଭାଗ କର୍ମଚାରୀ, ପୋଲିସ ଥାନାର ଆଇଆଇସି ମିଳିତ ଭାବେ ସର୍ଭେ କରିବା ପରେ ଜିଲ୍ଲାରେ ୧୪୦୮ ଜଣଙ୍କୁ ଚିହ୍ନଟ କରାଯାଇଛି। ମାଲକାନଗିରି ତହସିଲରେ ୩୫୦ ଜଣ ଚିହ୍ନଟ ହୋଇଥିବା ବେଳେ ଚିତ୍ରକୋଣ୍ଡା ତହସିଲରେ ୩୦୧ ଜଣ, ମୋଟୁ ତହସିଲରେ ୧୦୨ ଜଣ ଏବଂ କାଲିମେଳା ତହସିଲରେ ୬୫୫ ଜଣ ଚିହ୍ନଟ ହୋଇଛନ୍ତି ତେବେ ଯେଉଁମାନେ ବଙ୍ଗଳାଦେଶରୁ ଆସିଛନ୍ତି ଓ ଭାରତୀୟ ପ୍ରମାଣପତ୍ର ନଥିବ ସେମାନଙ୍କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାରେ ବିଭିନ୍ନ ଜିନିଷ ବିକ୍ରି କରିବା ନାଁରେ ଗାଁ ଗାଁ ବୁଲୁଛନ୍ତି ଶହ ଶହ ଅନୁପ୍ରବେଶକାରୀ। କିଛିଦିନ ବିକ୍ରି କରିବା ପରେ ଏହି ଅଞ୍ଚଳର ଝିଅକୁ ବିବାହ କରିବା ସହ ଏଠାରେ ବାସିନ୍ଦା ପାଇଁ ସମସ୍ତ ପ୍ରମାଣପତ୍ର ପ୍ରସ୍ତୁତ କରୁଛନ୍ତି। ଏହାର ଯାଞ୍ଚ କରି ତୁରନ୍ତ ହଟାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *