ନକଲି ପୋଲିସର ଡିଜିଟାଲ ଠକେଇ, ମୁମ୍ବାଇରୁ ୨ ଅଭିଯୁକ୍ତ ଗିରଫ
ରାଉରକେଲା: ନକଲି ପୋଲିସର ଡିଜିଟାଲ ଠକେଇ। ରାଉରକେଲା ପୋଲିସ ଚଢ଼ଉ କରି ମୁମ୍ବାଇରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ପରିଚୟ ଦେଇ, ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ଏନେଇ ଅଭିଯୋଗ ପରେ ସାଇବର ଠକେଇ ଜଡିତ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ରାଉରକେଲା ପୋଲିସ। ବ୍ୟାଙ୍କ କାରବାର, ମୋବାଇଲ୍ ନମ୍ବର, ଡିଜିଟାଲ ପ୍ରମାଣ ଏବଂ ହିତାଧିକାରୀଙ୍କ ଆକାଉଣ୍ଟର ବୈଷୟିକ ବିଶ୍ଳେଷଣକୁ ଉପଯୋଗ କରି ତଦନ୍ତକାରୀ ପୋଲିସ ଦଳ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ମାମଲାର ତଦନ୍ତ ପାଇଁ ଦୁଇଟି ପୋଲିସ ଦଳ ମୁମ୍ବାଇକୁ ପଠାଯାଇଥିଲା। ସେଠାରୁ ସାଇବର ଠକେଇ ଗ୍ୟାଙ୍ଗ ସହିତ ଜଡିତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବା ସହିତ ସେମାନଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ପୋଲିସ୍ ପକ୍ଷରୁ ଜବତ କରାଯାଇଛି ବୋଲି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ । ସୂଚନା ଅନୁସାରେ ପୋଲିସ୍ ତଦନ୍ତରୁ ଜଣାପଡିଥିଲା ଯେ, ଠକେଇ ଟଙ୍କା ଧଳା କରିବା ପାଇଁ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ମଧ୍ୟରୁ ଅନେକ ଆନ୍ତଃରାଜ୍ୟ ସାଇବର ଠକେଇ ମାମଲା ସହିତ ଜଡିତ। ଯାହା ଏକ ସଂଗଠିତ ସାଇବର ଅପରାଧ ନେଟୱାର୍କର ସମ୍ପୃକ୍ତିକୁ ସୂଚିତ କରୁଛି। ପୋଲିସ୍ ପକ୍ଷରୁ ସାଇବର ଠକେଇର ଅଧିକ ତଦନ୍ତ ଜାରି ରହିଛି।

