ପୁଣି ଆମେରିକା- ଇରାନ ମୁହାଁମୁହିଁ : ଇରାନର ସାମରିକ ଘାଟି ଉପରେ ଘନ ଘନ ଆକ୍ରମଣ, ୩ଦିନ ମଧ୍ୟରେ ଆମେରିକାର ୨ ଥର ଅସ୍ତ୍ର ବିରତି ଉଲ୍ଲ୍ଲଂଘନ
ତେହେରାନ, ୨୮|୫: ପୁଣି ଆମେରିକା-ଇରାନ ମୁହାଁମୁହିଁ ହୋଇଛନ୍ତି। କିଛି ଦିନର ନିରବତା ପରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ସାମରିକ ଘାଟି ଉପରେ ଘନ ଘନ ଆକ୍ରମଣ କରୁଛି ଆମେରିକା। ଗତ ୩ଦିନ ମଧ୍ୟରେ ଆମେରିକା ୨ ଥର ଅସ୍ତ୍ର ବିରତି ଉଲ୍ଲ୍ଲଂଘନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଇରାନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଆମେରିକା କହିଛି ଯେ, ଆମ ସୁରକ୍ଷା ପାଇଁ ୱାଶିଂଟନ ଏଭଳି ପଦକ୍ଷେପ ନେଇଛି। ହର୍ମୁଜରେ ଇରାନ ମାଇନସ ବିଛାଉଥିବାରୁ ଏହାକୁ ବିରୋଧକରି ଆକ୍ରମଣ କରାଯାଇଛି ବୋଲି ଆମେରିକା ସଫେଇ ଦେଇଛି। କାଲି ପୁଣି ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରି ରାତି ୩ଟାରେ ବନ୍ଦର ଆବାସଠାରେ ଥିବା ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ କତାରରେ ଥିବା ଆମେରିକା ବେସକୁ ଟାର୍ଗେଟ କରି ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି କରିଛି। ଏଥିରୁ ସ୍ପଷ୍ଟ ଯେ, ଦୁଇ ଦେଶ ମଧ୍ୟରେ ପୁଣି ଏକ ବଡ଼ ଯୁଦ୍ଧ ଘନାଉଛି। ଆମେରିକାର ଏହି ଆକ୍ରମଣ ଇରାନ ଉପରେ ଚାପ ସୃଷ୍ଟି କରି ଡିଲ ମାନି ନେବା ପାଇଁ ଉଦ୍ଦିଷ୍ଟ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ସେପଟେ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ଘୋଷଣା କରି ଆମେରିକା ଯୁଦ୍ଧ ଜାହଜ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ଉଭୟ ପକ୍ଷ ଯୁଦ୍ଧ କରିବା ପାଇଁ ଆଗ୍ରହ ନ ଥିଲେ ହେଁ ଏହି ଛୋଟ ଛୋଟ ଆକ୍ରମଣ ଆଗାମୀ ଏକ ବଡ଼ ଯୁଦ୍ଧ ର ସମ୍ଭାବନା ସୃଷ୍ଟି କରିଛି। ଯାହାକୁ ନେଇ ପୁଣି ମଧ୍ୟ ପ୍ରାଚ୍ୟ ଅଶାନ୍ତ ହେବା ଆଶଙ୍କା ରହିଛି। ଗୋଟିଏ ପଟେ ପାକିସ୍ତାନ ମଧ୍ୟସ୍ତତାରେ ଶାନ୍ତି ଆଲୋଚନା ଚାଲିଥିବାବେଳେ ପୁଣି ଯୁଦ୍ଧ ପଦଧ୍ବନି ଦେଖାଦେବା ସାଉଦି ଆରବ, କତାର, ୟୁଏଇ , ବାହାରିନ ପ୍ରମୁଖ ରାଷ୍ଟ୍ରମାନେ ଏବେ ଚିନ୍ତା ଅଛନ୍ତି । ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଆମେରିକୀୟ ସୈନ୍ୟ ଓ ସାମୁଦ୍ରିକ ବାଣିଜ୍ୟକୁ ବିପଦରୁ ରକ୍ଷା କରିବା ପାଇଁ ନିଆଯାଇଥିଲା। ପୂର୍ବରୁ ଦକ୍ଷିଣ ଇରାନରେ କ୍ଷେପଣାସ୍ତ୍ର ଘାଟି ଓ ସନ୍ଦିଗ୍ଧ ଡଙ୍ଗା ଉପରେ ଆକ୍ରମଣ କରିଥିଲା। ଆମେରିକା ସେନା ପୁଣି ଥରେ ଇରାନ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛି। ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ଇରାନ ଭିତରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରାଯାଇଥିଲା। ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଓମାନ ଓ କତାରର ମଧ୍ୟସ୍ଥତାରେ କୂଟନୈତିକ ଆଲୋଚନା ଚାଲିଥିବାବେଳେ ଏହି ଆକ୍ରମଣ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଏକ କଠୋର ଓ ଦୀର୍ଘକାଳୀନ ଚୁକ୍ତିନାମାରେ ପହଞ୍ଚିବା ପାଇଁ ନିରନ୍ତର ଚାପ ପକାଇ ଆସୁଛନ୍ତି। ଜଣେ ଆମେରିକୀୟ ଅଧିକାରୀ ରଏଟର୍ସଙ୍କୁ କହିଛନ୍ତି ଯେ, ଆମେରିକାର ସେନା ରାତାରାତି ଇରାନରେ ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ଇରାନର ଏକ ସାମରିକ ଘାଟିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀରେ ଆମେରିକୀୟ ସାମରିକ ଓ ବାଣିଜ୍ୟିକ ସାମୁଦ୍ରିକ ପରିବହନ ପାଇଁ ବିପଦ ସୃଷ୍ଟି କରୁଥିବା ଏହି ସାମରିକ ଘାଟିକୁ ଆମେରିକା ଟାର୍ଗେଟ କରିଥିଲା। ଆମେରିକା ଏହାକୁ ଆତ୍ମରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି। ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ସମୟରେ ଆମେରିକୀୟ ସେନା ଇରାନର ଅନେକ ଘାତକ ଡ୍ରୋନକୁ ମଧ୍ୟ ଖସାଇ ଦେଇଛି। ଇରାନୀ ଗଣମାଧ୍ୟମ ମଧ୍ୟ ଆମେରିକା ଆକ୍ରମଣକୁ ନିଶ୍ଚିତ କରିଛି। ଇରାନୀ ଅଧିକାରୀମାନେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ବିଷୟରେ କୌଣସି ସରକାରୀ ସୂଚନା ପ୍ରକାଶ କରିନାହାନ୍ତି ଓ କହିଛନ୍ତି ଯେ ଏହି ମାମଲା ତଦନ୍ତାଧୀନ ଅଛି।

