ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ
ପାଟନା, ୨୮|୫: ପାଟନାର ଉମାନାଥ ଗଙ୍ଗା ଘାଟରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗଙ୍ଗାନଦୀ କୂଳରେ ଥିବା ଦିଆରା ଅଞ୍ଚଳରେ ପନିପରିବା ସଂଗ୍ରହ କରିବାକୁ ଏକ ଛୋଟ ଡଙ୍ଗାରେ ୧୪ ରୁ ୧୫ ଜଣ ଲୋକ ଯାତ୍ରା କରୁଥିଲେ। ଦିଆରା ପହଞ୍ଚିବା ପୂର୍ବରୁ ପ୍ରବଳ ପବନ ହେତୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ସମସ୍ତ ଲୋକ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ। କିନ୍ତୁ ଶବ୍ଦ ଶୁଣି ପାଖରେ ଥିବା ଡଙ୍ଗା ଚାଳକମାନେ ସାତ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଜଣେ ମହିଳା ଏବଂ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପାଞ୍ଚ ଜଣ ନିଖୋଜ ଥିବାବେଳେ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରହିଛି।
