ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୭.୭
ମିଣ୍ଡାନାଓ: ଫିଲିପାଇନ୍ସ ଦ୍ୱୀପ ମିଣ୍ଡାନାଓରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ଭୋରରୁ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପୃଥିବୀ ତିନିଥର କମ୍ପି ଉଠିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଛି। ଫଳରେ ଫିଲିପାଇନ୍ସ,ମାଲେସିଆ ଓ ଇଣ୍ଡୋନେସିଆର କିଛି ଅଂଶ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସଠାରୁ 70 କିମି ଦୂର ପୋଲୋମୋଲୋକରେ ବୋଲି ଜଣାପଡ଼ିଛି। ଦକ୍ଷିଣ କୋଟାବାଟୋର ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଫିଲିପାଇନ୍ସରେ ଗୋଟିଏ ଘଣ୍ଟା ମଧ୍ୟରେ ତିନୋଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପ ସକାଳ ୫ଟା୦୭ ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା। ଦ୍ୱିତୀୟ ଭୂମିକମ୍ପ ସକାଳ ୫ଟା ୧୮ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ଥିଲା। ତୃତୀୟ ଭୂମିକମ୍ପ ସକାଳ ୬ଟା ୨୫ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍ଲେଲରେ ୬.୬ ଥିଲା। ଅଲ୍ ଜାଜିରାର ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସ ନିକଟରେ ହୋଇଥିବା ବିଶାଳ ଭୂମିକମ୍ପ ପରେ ଜାପାନ ଏହାର ପ୍ରଶାନ୍ତ ମହାସାଗର ଉପକୂଳର କିଛି ଅଂଶ ପାଇଁ ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ଆକଳନ କରିଛି ଯେ ଜାପାନର କିଛି ଅଞ୍ଚଳରେ ଏକ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହଡ଼ି ଉଠିପାରେ। କ୍ଷଯକ୍ଷତିର ବିଶେଷ ରିପୋର୍ଟ ଆସି ନଥିବାବେଳେ ଶକ୍ତିଶାଳୀ ଭୂକମ୍ପ ନେଇ ଭୟର ବାତାବରଣ ସୃଷ୍ଟ ହୋଇଛି।

