୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଶିଶୁ
କନକ ବ୍ୟୁରୋ : ରୋଗୀଙ୍କୁ ହସ୍ପିଟାଲ ନେଉଯାଉଥିବାବେଳେ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ ଥିବା ଶିଶୁ ରୋଗୀ ସମେତ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।। ଆମ୍ବୁଲାନ୍ସରେ ଥିବା ଶିଶୁ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ବାହାରକୁ ନେଇ ଅଣାଯାଇଥିଲା । ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳରୁ ୧୦୮ ଆମ୍ବୁଲାନ୍ସଟି ଗତକାଲି ରାତି ପ୍ରାୟ ୧ଟା ସମୟରେ ଜଣେ ଶିଶୁ ରୋଗୀଙ୍କୁ ନେଇ କଟକ ସ୍ଥିତ ଶିଶୁ ଭବନ ଅଭିମୁଖେ ଯାଉଥିଲା । ତେବେ ବାଦାମବାଡି ପାଖରେ ହଠାତ୍ ଆମ୍ବୁଲାନ୍ସରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଚାଳକ ଓ କର୍ମଚାରୀମାନେ ତୁରନ୍ତ ଗାଡ଼ି ଅଟକାଇ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ । ତେବେ ଆମ୍ବୁଲାନ୍ସଟିରେ କିଭଳି ନିଆଁ ଲାଗିଲା, ତାହାର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । 108 ଆମ୍ବୁଲାନ୍ସ ଗୁଡ଼ିକର ମେଣ୍ଟେନାନ୍ସ ଠିକ ଭାବେ କରାଯାଉ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହେଉଛି।

