ଆନ୍ତର୍ଜାତୀୟତାଜା ଖବର

ହିଜବୁଲ୍ଲାର ୧୫୦ ଠିକଣାରେ ଇସ୍ରାଏଲ୍ର ପ୍ରଚଣ୍ତ ଆକ୍ରମଣ ୩ ସେନା ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ- ଯୁଦ୍ଧବିରତି ସତ୍ତ୍ବେ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଗତ ଦୁଇ ଦିନ ହେବ ଲେବାନନର ବିଭିନ୍ନ ସ୍ଥାନରେ ଇସ୍ରାଇଲ ମିଶାଇଲ ମାଡ଼ କରିଥିବାବେଳେ ମୋଟ 30 ଜଣଙ୍କ ପ୍ରାଣ ଗଲାଣି। ଭୀଷଣ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଲେବାନନର ୩ ସେନା ଅଧିକାରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୩ ସେନା ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର ଜେନେରାଲ, ଜଣେ କ୍ୟାପ୍ଟେନ୍ ଏବଂ ଜଣେ ସୈନିକ ରହିଛନ୍ତି । ଦୁଇଦିନରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଏହି ହମଲାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଆମେରିକା ମଧ୍ୟସ୍ଥତାରେ ଆଲୋଚନା ସମୟରେ ଦୁଇ ଦେଶ ସର୍ତ୍ତମୂଳକ ଯୁଦ୍ଧବିରତି ପାଇଁ ରାଜି ହେବାର କିଛି ଦିନ ପରେ ଦକ୍ଷିଣ ଲେବାନନରେ ଇସ୍ରାଏଲୀ ସେନା ପ୍ରଚଣ୍ଡ ଆକ୍ରମଣ କରିଛି । ଲେବାନନ୍ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଲେବାନନ୍ ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନ ଏବଂ ମାନଦଣ୍ଡର ଏକ ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି । ସେହିପରି ଲେବାନନ୍ ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ୍ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଲେବାନନ ସେନା କହିଛି, ଶନିବାର ସକାଳେ ନବାତିୟେହ ଏବଂ ମରଜାୟୌନକୁ ଯୋଡ଼ୁଥିବା ସଡ଼କ ଉପରେ ଏୟାର ଷ୍ଟ୍ରାଇକ୍ ହେବା ଦ୍ୱାରା ୩ ଜଣ ସେନାଧିକାରୀ ପ୍ରାଣ ହରାଇଛନ୍ତି । ସେହିଭଳି ସକ୍ସାକିୟାହ ଗ୍ରାମ ଉପରେ ହୋଇଥିବା ଦ୍ୱିତୀୟ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ବିବୃତିରେ ସେନା କହିଛି, ଇସ୍ରାଏଲ୍ର ସେନା ଲଗାତର ଆକ୍ରମଣ କରୁଛି । ତଥାପି ଆମର ମନୋବଳ ଦୁର୍ବଳ ପଡ଼ିବ ନାହିଁ । ଯୁଦ୍ଧବିରତି ଘୋଷଣା ସତ୍ତେ୍ୱ ଇସ୍ରାଏଲ୍ ଏହି ଆକ୍ରମଣ କରିଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଲେବାନନର ରାଷ୍ଟ୍ରପତି ଯୋସେଫ ଆଉନ ଦେଶର ସେନା ଗାଡ଼ି ଉପରେ ହୋଇଥିବା ଇସ୍ରାଏଲୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଏହା ଲେବାନନର ଅଖଣ୍ଡତା ଉପରେ ସିଧାସଳଖ ହମଲା ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ । ବିବାଦ କମାଇବା ଲାଗି ୱାଶିଂଟନରେ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲ୍ ଲଗାତର ଆକ୍ରମଣ କରୁଥିବା ସେ କହିଛନ୍ତି । ଲେବାନନରେ ମାର୍ଚ୍ଚ ୨ରୁ ଜାରି ରହିଥିବା ଇସ୍ରାଏଲୀ ହମଲାରେ ମୃତ୍ୟୁ ସଂଖ୍ୟା ବଢ଼ି ୩,୫୫୮ ହୋଇଛି । ୧୦,୮୭୦ ଜଣ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *