ଡାକ ଘରେ ଅଗ୍ନିକାଣ୍ଡ, ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ କମ୍ପ୍ୟୁଟର ପୋଡ଼ି ନଷ୍ଟ
ଗଞ୍ଜାମ : ଡାକ ଘରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଆସିକାସ୍ଥିତ ମୁଖ୍ୟ ଡାକଘର ଉପରେ ଥିବା ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣା ନଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଜଣାପଡିଛି। ରବିବାର ଥିବାରୁ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା। ହଠାତ ଅପରାହ୍ନରେ ଧୂଆଁ ଉଠିବା ସହିତ ହୁତହୁତ ହୋଇ ଜଳିବା ଆରମ୍ଭ ହୋଇଥିଲା। ଅଗ୍ନିଶମ ଅଧିକାରୀ କୈଳାସ କୁମାର ସାହୁଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଏକାଧିକ ଅଗ୍ନିଶମ ଗାଡ଼ି ତିନି ଘଣ୍ଟାରୁ ଅଧିକ ସମୟ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଛନ୍ତି। ଏହି ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲା।ଡାକ ଅଧୀକ୍ଷକଙ୍କ ଏହି କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କର୍ମଚାରୀଙ୍କ ସେବା ବହି, କମ୍ପ୍ୟୁଟର ଆଦି ପୋଡି ନଷ୍ଟ ହୋଇଛି।

