ଇବୋଲା ଚିନ୍ତା , ବିମାନବନ୍ଦରରେ ସତର୍କତା ଜାରି ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିଥିବା ମହିଳାଙ୍କ ରିପୋର୍ଟ ନେଗେଟିଭ୍
ବେଙ୍ଗାଲୁରୁ, ୨୭|୫: ଆଫ୍ରିକୀୟ ଦେଶଗୁଡ଼ିକରେ ବ୍ୟାପୁଥିବା ମାରାତ୍ମକ ‘ଇବୋଲା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତା ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇବୋଲା ସଂକ୍ରମିତ ଅଞ୍ଚଳ ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିବା ପରେ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ‘ନେଗେଟିଭ୍’ ଆସିଛି। ପୁଣେସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ (ଏନଆଇଭି) ଦ୍ୱାରା କରାଯାଇଥିବା ପରୀକ୍ଷଣରୁ ମହିଳାଙ୍କ ଶରୀରରେ ଇବୋଲା ଜୀବାଣୁ ନଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି ଏବୋଲା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ଏବଂ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅହମ୍ମଦାବାଦ ଦେଇ ବେଙ୍ଗାଲୁରୁରେ ପହଞ୍ଚିଥିବା ଏହି ମହିଳାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହୋଟେଲରୁ ସରକାରୀ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେପଟେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଏବଂ ଉଗାଣ୍ଡାରେ ଏବୋଲାର ଦୁର୍ଲଭ ‘ବୁଣ୍ଡିବୁଗିଓ’ ଷ୍ଟ୍ରେନ୍ ବ୍ୟାପିବା ଏବଂ ଏଥିରେ ପ୍ରାୟ ୨୨୦ ଜଣଙ୍କ ମୃତ୍ୟୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାକୁ ‘ଆନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରିଛି। ଏହି ଆଲର୍ଟ ପରେ କେନ୍ଦ୍ର ସରକାର ଦେଶର ସମସ୍ତ ବିମାନବନ୍ଦରରେ ସୁରକ୍ଷା ଓ ସ୍କ୍ରିନିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଆଫ୍ରିକାର ଇବୋଲା ପ୍ରଭାବିତ ଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି। ଜ୍ୱର, ବାନ୍ତି କିମ୍ବା ଶରୀରରୁ ଅସ୍ପଷ୍ଟ ରକ୍ତସ୍ରାବ ଭଳି ଲକ୍ଷଣ ଥିଲେ ଇମିଗ୍ରେସନ ପୂର୍ବରୁ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ବାଧ୍ୟତାମୂଳକ କରାଯାଇଛି।

