ଏକମାତ୍ର ରାଜ୍ୟସଭା ଆସନ କଂଗ୍ରେସକୁ ଦେଲେ ବିଜୟ
ଚେନ୍ନାଇ: ରାଜ୍ୟସଭା ଉପନିର୍ବାଚନ ନେଇ ଅନେକ ଚକାପଞ୍ଝା ଲାଗି ରହିଥିବାବେଳେ ତାମିଲନାଡ଼ୁର ଏକମାତ୍ର ଆସନ କଂଗ୍ରେସକୁ ଦେଲେ ମୁଖ୍ୟମନ୍ତ୍ରୀ ଜୋଶେଫ ବିଜୟ। ଏହା ସହିତ, ରାଜ୍ୟସଭାରେ ତାମିଲନାଡୁରୁ କଂଗ୍ରେସର ପ୍ରତିନିଧିତ୍ୱ ତିନିକୁ ବୃଦ୍ଧି ପାଇବାର ସମ୍ଭାବନା ଅଛି, ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି। ତାମିଲନାଡ଼ୁରେ ଟିଭିକେ ସହିତ ମେଣ୍ଟ କଂଗ୍ରେସ ପାର୍ଟି ପାଇଁ ଲାଭଦାୟକ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁର ଖାଲିଥିବା ଏକମାତ୍ର ରାଜ୍ୟସଭା ଆସନକୁ ମେଣ୍ଟ ସହଯୋଗୀ କଂଗ୍ରେସକୁ ଆବଣ୍ଟିତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ତାମିଲନାଡୁ ପ୍ରଭାରୀ ଗିରିଶ ଚୋଡଙ୍କାର ବିଜୟଙ୍କୁ ଭେଟିବା ପରେ ଏହି ଘୋଷଣା କରାଯାଇଥିଲା। ତାମିଲନାଡୁରେ ଟିଭିକେ ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା। ଟିଭିକେ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳମାନଙ୍କ ସହାୟତାରେ ସରକାର ଗଠନ କରିଛି। ସରକାରଙ୍କ ସ୍ଥିରତା ପାଇଁ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ରହିଛି। କଂଗ୍ରେସ ରଣନୀତିଜ୍ଞ ପ୍ରବୀଣ ଚକ୍ରବର୍ତ୍ତୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତାମିଲନାଡୁରେ କଂଗ୍ରେସ-ଟିଭିକେ ମେଣ୍ଟ ଗଠନର ଶ୍ରେୟ ଚକ୍ରବର୍ତ୍ତୀଙ୍କୁ ଯାଏ। ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏଆଇଏଡିଏମ୍କେ ନେତା ସିଭି ଷଣ୍ମୁଗମ୍ ସଂସଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। କଂଗ୍ରେସ ନେତାମାନେ ବିଜୟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହା ବିଜେପିର ଶକ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟସଭାରେ କଂଗ୍ରେସର ସ୍ୱରକୁ ମଜଭୁତ କରିବ ବୋଲି ଚର୍ଚ୍ଚା ହେଉଛି। ଡିଏମକେ ସହିତ ଅଲଗା ହୋଇ ବିଜୟଙ୍କ ଦଳ ସହିତ ମେଣ୍ଟ କରିବା ପରେ କଂଗ୍ରେସ ସଂସଦୀୟ ଶକ୍ତି ହ୍ରାସ ପାଇଛି। ନେତାମାନେ ବିଶ୍ୱାସ କରନ୍ତି ଯେ, ରାଜ୍ୟସଭା ଆସନ କେବଳ ଉଚ୍ଚ ସଦନରେ ଦଳର ଉପସ୍ଥିତିକୁ ଉନ୍ନତ କରିବ ନାହିଁ ବରଂ ୨୦୨୯ ଲୋକସଭା ନିର୍ବାଚନ ଓ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଭବିଷ୍ୟତର ରାଜନୈତିକ ପ୍ରତିଯୋଗିତା ପୂର୍ବରୁ କଂଗ୍ରେସ ଓ ଟିଭିକେ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବ।

