ଜାତୀୟତାଜା ଖବର

ଆସୁଛି ଭୟଙ୍କର ଏଲ୍-ନିନୋ ବିଶ୍ୱ ପାଣିପାଗ ସଂଗଠନର ଚେତାବନୀ ବର୍ଷିବ କମ୍, ସିଝାଇବ ଅଧିକ

ନୂଆଦିଲ୍ଲୀ : ଆସୁଛି ଭୟଙ୍କର ଏଲ୍-ନିନୋ । ଏହାର ପ୍ରଭାବରେ ଥଣ୍ଡା କମିବା ସହ ପ୍ରବଳ ଗରମ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ବିଶ୍ୱ ପାଣିପାଗ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଏବେ ପୃଥିବୀର ପରିବେଶବିତମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରଶାନ୍ତ ମହାସାଗରରେ ‘ଏଲ୍-ନିନୋ’ ସ୍ଥିତି ଅତି ଦ୍ରୁତ ଗତିରେ ବିକଶିତ ହେଉଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆସିଛି ଏକ ବଡ଼ ଚେତାବନୀ। ବିଶ୍ୱ ପାଣିପାଗ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଏବେ ପୃଥିବୀର ପରିବେଶବିତମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ପ୍ରଶାନ୍ତ ମହାସାଗରରେ ‘ଏଲ୍-ନିନୋ’ ସ୍ଥିତି ଅତି ଦ୍ରୁତ ଗତିରେ ବିକଶିତ ହେଉଥିବା ନେଇ ସୂଚନା ମିଳିଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ୨୦୨୬ରେ ଆସୁଥିବା ଏହି ଏଲ୍-ନିନୋ କୌଣସି ସାଧାରଣ ହେବନାହିଁ ବରଂ ଏହା ‘ମଧ୍ୟମରୁ ଅତି ଶକ୍ତିଶାଳୀ’ ହେବାକୁ ଯାଉଛି ଯାହା ସାରା ବିଶ୍ୱର ତାପମାତ୍ରା ଓ ବର୍ଷାର ପାଟର୍ଣ୍ଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏକ ଭିଡିଓ ବାର୍ତ୍ତାରେ ଚେତାଇ ଦେଇଛନ୍ତି ଯେ ଏହି ସଙ୍କଟ ବିଶ୍ୱ ଅର୍ଥନୀତି, ସ୍ୱାସ୍ଥ୍ୟ ଏବଂ କୃଷି ବ୍ୟବସ୍ଥାକୁ ଛାରଖାର କରିଦେଇପାରେ। ସରଳ ଭାଷାରେ କହିଲେ, ଏଲ୍-ନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା, ଯାହା କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରର ସମୁଦ୍ର ପୃଷ୍ଠର ତାପମାତ୍ରା ଅସ୍ୱାଭାବିକ ଭାବେ ଗରମ ହେବା ଯୋଗୁଁ ସୃଷ୍ଟି ହୁଏ । ସମୁଦ୍ର ଭିତରର ତାପମାତ୍ରା ହାରାହାରି ଠାରୁ ୬ ଡିଗ୍ରି ସେଲସିୟସ୍ ଅଧିକ ରେକର୍ଡ କରାଯାଇଛି । ଜୁନରୁ ଅଗଷ୍ଟ ୨୦୨୬ ମଧ୍ୟରେ ଏଲ୍-ନିନୋ ସକ୍ରିୟ ହେବାର ୮୦ ପ୍ରତିଶତ ସମ୍ଭାବନା ଥିବାବେଳେ ନଭେମ୍ବର ସୁଦ୍ଧା ଏହା ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ। ଏହାଫଳରେ ମଣିଷ ଶରୀରରେ ‘ହିଟ୍ ଷ୍ଟ୍ରେସ୍’ ବା ଶାରୀରିକ ଚାପ ବଢ଼ିବ ଏବଂ ଅନେକ ସ୍ଥାନରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ଏହି ରିପୋର୍ଟ ଭାରତ ଭଳି କୃଷିପ୍ରଧାନ ଦେଶ ପାଇଁ ଏକ ବଡ଼ ଧକ୍କା । ଦକ୍ଷିଣ ଏସିଆରେ ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ବହୁତ କମ୍ ହେବାର ଆଶଙ୍କା ରହିଛି। ମୌସୁମୀ ଦୁର୍ବଳ ହେଲେ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହେବ ଏବଂ ଗ୍ରାମୀଣ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ । ଅନ୍ୟପଟେ ଦକ୍ଷିଣ ଆମେରିକା, ଆଫ୍ରିକା ଓ ମଧ୍ୟ ଏସିଆରେ ପ୍ରବଳ ବନ୍ୟା ଆସିବାକୁ ଥିବାବେଳେ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆରେ ପାଣିପାଗ ସମ୍ପୂର୍ଣ୍ଣ ଶୁଷ୍କ ଓ ଗରମ ରହିବ।

Leave a Reply

Your email address will not be published. Required fields are marked *