ଜାତୀୟତାଜା ଖବର

ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ ପଚା ପାଣି ନେଇ ଅଧିକାରୀଙ୍କ ହାତ ଧୋଇଲେ

ବରଗଡ଼, ୧୨|୬(ସପ୍ର): ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଛି ପୋଖରୀ। ଏଠାରେ ଗାଧୋଇବା ତ ଦୂର କଥା ପାଦ ମାଡ଼ିବାକୁ ବି ଇଚ୍ଛା ହେଉ ନାହିଁ। ଡହ ଡହ ଖରାରେ ସବୁଠି ଜଳର ଉତ୍କଟ ଅଭାବ ଦେଖାଯାଉଥିବାବେଳେ ଏଠାରେ ପୋଖରୀଟିଏ ଥାଇ ବି ତାହାର ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଖରୀଟିର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ କରଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି (ଆଜାଦ)ଙ୍କ ନେତୃତ୍ୱରେ ପଡ଼ାର ଯୁବକମାନେ ପୋଖରୀରୁ ଭାରରେ ପାଣି ଧରି ପୌର ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁଙ୍କୁ ସମସ୍ୟା ଜଣାଇଛନ୍ତି। ବରଗଡ଼ ସହର ସ୍ଥିତ ମା’ଖଜୁରକଟିଏନ ବନ୍ଧ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବାବେଳେ ପଡାବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହିତ ରୋଗରେ ପଡୁଛନ୍ତି। ପୋଖରୀ ପାଣି ଆଣି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୋଇବା ପାଇଁ କହିବା ସହ ପଡାବାସୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଗୁହାରି କରିଛି ଛାତ୍ର କଂଗ୍ରେସ। ଆସନ୍ତା ୧୬ ତାରିଖ ମଧ୍ୟରେ ସମାଧାନ ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି। ଏଠାକାର ସୌନ୍ଦର୍ଯ୍ୟକରଣ ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ବିଭାଗୀୟ ଜେଇଙ୍କ ଅବହେଳାରୁ କାମ ଆରମ୍ଭ ହୋଇ ପାରିନାହିଁ। ସମସ୍ୟା ବିଷୟରେ ଆମେ ଅବଗତ ଅଛୁ ଆଉ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ କହିଛନ୍ତି। ଖରା ଦିନ ସରିବାକୁ ବସିଲାଣି ତଥାପି ପୋଖରୀର ପୁନରୁଦ୍ଧାର ହୋଇପାରି ନଥିବାରୁ ସ୍ଥାମୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପୋଖରୀ ସଫା ସହ ପୁନରୁଦ୍ଧାର ହେଲେ ଏଠାକାର ଲୋକେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *