ଜାତୀୟତାଜା ଖବର

ତ୍ରୁଟିମୁକ୍ତ ବହି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ପାଠ୍ୟପୁସ୍ତକରେ ରହିବ ବାରକୋଡ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନସ୍ଥ ପ୍ରଥମରୁ ଅଷ୍ଟମ ସ୍କୁଲ ପୁସ୍ତକ ବ୍ୟାପକ ମୁଦ୍ରଣଗତ ଓ ତଥ୍ୟଗତ ତ୍ରୁଟି ରହିଛି। ମୁଦ୍ରଣରେ ବ୍ୟାପକ ତ୍ରୁଟିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ବହିରେ ରହିବ ବାରକୋଡ୍। ପାଠ୍ୟପୁସ୍ତକରେ ତ୍ରୁଟି ରୋକିବା ଏବଂ ପାଠପଢ଼ାକୁ ଅଧିକ ଆଧୁନିକ କରିବା ପାଇଁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାରକୋଡ୍ ସ୍କାନ୍ କରି ପାଠ୍ୟବସ୍ତୁ ସମ୍ବନ୍ଧୀୟ ଅତିରିକ୍ତ ସୂଚନା, ଡିଜିଟାଲ କଣ୍ଟେଣ୍ଟ, ଭିଡିଓ ଓ ଶିକ୍ଷାଦାନ ସାମଗ୍ରୀର ସହଜ ସୁବିଧା ପାଇପାରିବେ। ନିକଟରେ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ଶିକ୍ଷା ବିଭାଗ ଏହି ନୂଆ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇଛି । ବାରକୋଡ୍ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ାକୁ ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତି ନିର୍ଭର କରିବା ସହିତ ଭବିଷ୍ୟତରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଅନ୍ୟପଟେ ତ୍ରୁଟିମୁକ୍ତ ଓ ଗୁଣାତ୍ମକ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ ଏହି ବ୍ୟବସ୍ଥା ଅନୁଯାୟୀ, ପ୍ରଥମେ ପ୍ରତ୍ୟେକ ଜିଲ୍ଲାକୁ ହାତଗଣତି ସଂଖ୍ୟାରେ ପାଠ୍ୟପୁସ୍ତକ ପଠାଯିବ। ସେହି ବହିଗୁଡ଼ିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାଞ୍ଚ କରିବା ସହିତ ସେଥିରେ କୌଣସି ତ୍ରୁଟି ରହିଛି କି ନାହିଁ ତାହା ଚିହ୍ନଟ କରିବେ।

Leave a Reply

Your email address will not be published. Required fields are marked *