ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଖୁବଶୀଘ୍ର ବ୍ଲାକ ଲିଷ୍ଟେଡ ହେବ ନିଯୁକ୍ତି କମ୍ପାନୀ: ମନ୍ତ୍ରୀ
ଅନୁଗୁଳ, ୧୦|୬(ସପ୍ର ): ଅନୁଗୁଳ ଜିଲ୍ଲାରେ ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଏ ସବୁ ନିଯୁକ୍ତି ୨୦୨୨ -୨୩ ମସିହାର। ଏମସିଏଲ ନାମକ ଏକ ଠିକା କମ୍ପାନୀ ଜରିଆରେ ହୋଇଥିଲା ନର୍ସ ନିଯୁକ୍ତି ପ୍ରକ୍ରିୟା। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୪ଦିନ ତଳେ ଏହି କେଳେଙ୍କାରୀ ବାବଦରେ ଖବର ପାଇଥିଲା। ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଅନୁଗୁଳ ଜିଲ୍ଲାପାଳଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ମଧ୍ୟ ସମ୍ପୃକ୍ତ କମ୍ପାନୀ ବିରୋଧରେ ସୋ’ କଜ ନୋଟିସ ଜାରି କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଯେଉଁ ସଂସ୍ଥା ଦ୍ବାରା ଏହି ନିଯୁକ୍ତି ହୋଇଛି ତାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଏହାସହ ରାଜ୍ୟବାସୀଙ୍କ ଉତ୍ତମ ସ୍ବସ୍ଥ୍ୟାସେବା ପାଇଁ ସ୍ବଚ୍ଛତାର ସହ ନର୍ସ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି।

