ତାଜା ଖବର

ମହାନଦୀ ଜଳ ବିବାଦ ପ୍ରସଙ୍ଗ ଜୁନ୍ ୧୬ରୁ ୨୬ ଯାଏଁ ଦିଲ୍ଲୀରେ ହେବ ଆଲୋଚନା

ଭୁବନେଶ୍ଵର : ମହାନଦୀ ଜଳ ବିବାଦର ସମାଧାନ ନେଇ ଧୀରେ ଧୀରେ ବାଟ ଫିଟିବାରେ ଲାଗିଛି।  ଏନେଇ ଦିଲ୍ଲୀରେ ୧୧ ଦିନ ଧରି ହେବ ମାନସ ମନ୍ଥନ। ମହାନଦୀ ପ୍ରସଙ୍ଗରେ ଜୁନ୍ ୧୬ରୁ ୨୬ ପର୍ଯ୍ୟନ୍ତ ଆଲୋଚନା ହେବ ବୋଲି ଆଡଭୋକେଟ୍ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି ସମୟରେ ଦୁଇ ରାଜ୍ୟ ଛତିଶଗଡ଼ ଏବଂ ଓଡ଼ିଶା ପକ୍ଷରୁ ଓ୍ବାଟର ସେୟାରିଂ ବା ଜଳ ବଣ୍ଟନ ନେଇ ବିସ୍ତୃତ ଆଲୋଚନା ପାଇଁ ଅପିଲ କରିଥିଲୁ। ଟ୍ରିବ୍ୟୁନାଲଙ୍କ ଅନୁମତି କ୍ରମେ ଆସନ୍ତା ଜୁନ୍ ୧୬ରୁ ୨୬ ତାରିଖ ଅର୍ଥାତ ୧୧ ଦିନ ଧରି ଦିଲ୍ଲୀରେ ଉଭୟ ରାଜ୍ୟର ଟେକ୍ନିକାଲ ଟିମ୍ ଏବଂ ଲିଗାଲ ଟିମ୍ ମୂଳ ବିଷୟକୁ ନେଇ ବିଶଦ ଭାବେ ଆଲୋଚନା କରିବେ। ଦରକାର ପଡ଼ିଲେ ସେଥିରେ ସିଡବ୍ଲୁସିର ସହାୟତା ନିଆଯିବ। ଦୁଇ ରାଜ୍ୟର ଓ୍ବାଟର ଏକ୍ସପର୍ଟମାନେ ଏନେଇ ଆଲୋଚନା କରିବେ। ଆଡଭୋକେଟ୍ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଜଳ ଉପରେ ଓଡ଼ିଶାର ପ୍ରାପ୍ୟ କେତେ, ଛତିଶଗଡ଼ର ପ୍ରାପ୍ୟ କେତେ, ସେହି ମୂଳ ବିଷୟବସ୍ତୁ ଉପରେ ବର୍ତ୍ତମାନ ସିଧାସଳଖ ଦୁଇ ରାଜ୍ୟର ବୈଷୟିକ କମିଟି ଆଲୋଚନା କରିବେ। ତେଣୁ  ଏହି ଆଲୋଚନାର ଫଳାଫଳକୁ  ଟ୍ରିବ୍ୟୁନାଲ ପାଖରେ ଆମେ ଦାଖଲ କରିବୁ। ଦୁଇ ରାଜ୍ୟର ସରକାରଙ୍କ ଶୀର୍ଷ ସ୍ତରରେ ମଧ୍ୟ ଆଲୋଚନା କରାଯିବ। ଏହାପରେ ମହାନଦୀ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ଜୁନ୍ ୨୭ରେ କରିବେ।

Leave a Reply

Your email address will not be published. Required fields are marked *