ରାଉରକେଲା ଷ୍ଟେସନରେ ସିବିଆଇର ବଡ଼ଧରଣର ଚଢଉ
ରାଉରକେଲା,୬|୬(ସ.ପ୍ର): ରାଉରକେଲା ଷ୍ଟେସନରେ ସିବିଆଇ ବଡ଼ଧରଣର ଚଢଉ କରିଛି। ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର କମଲେସ୍ ସମାଦାରଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିକେସନ୍ (ସିବିଆଇ)ର ତିନି ଜଣିଆ ଟିମ୍ ପକ୍ଷରୁ ବଡ଼ଧରଣର ଚଢଉ କରାଯାଇଥିଲା। ପରେ ଆରପିଏଫ ଇନ୍ସପେକ୍ଟର କମଲେଶ ସାରଦାରଙ୍କୁ ସିବିଆଇ ଟମ୍ ଗିରଫ କରିଥିବା ସୂଚନା ମିଳିଛି।
ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ ଟାରେ ସିବିଆଇର ଏକ ଚାରି ଜଣିଆ ଦଳ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ଆରପିଏଫ୍ ଇନ୍ସପେକ୍ଟରଙ୍କ ସରକାରୀ ବାସଭବ ନଓ ରେଲୱେ ଷ୍ଟେସନ ନିକଟରେ ରହିଥିବା କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରିଥିଲା । ଘର ଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ବିଭିନ୍ନ କାଗଜପତ ଯାଞ୍ଚ କରୁଛନ୍ତି । ଏହା ସହିତ ଇନ୍ସପେକ୍ଟର ଶ୍ରୀ ସମାଦାରଙ୍କ ପରିଚିତ ତଥା ଜଣେ ସପ୍ଲାୟରଙ୍କ ବାସଭବନରେ ମଧ୍ୟ ସିବିଆଇ ଚଢଉ କରିଛି । ରାଉରକେଲା ରେଲୱେ ଷ୍ଟେସନ ପରିସରରେ ଅବୈଧ ବିକ୍ରୟ ଏବଂ ଅନ୍ୟାନ୍ୟ ଅଭିଯୋଗକୁ ରଫାଦଫା କରିବା ପାଇଁ ଟଙ୍କା ନେଣଦେଣ କରୁଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଉଥିବା ସୂଚନା ମିଳିଛି ।

