ତାଜା ଖବରରାଜ୍ୟ

ବିଜେଡ଼ି ଛାଡ଼ିଲେ ଦେବାଶିଷ – ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଖାଲି ପଡ଼ିବ ଆଉ ଏକ ରାଜ୍ୟସଭା ଆସନ, ଦଳରେ ଅଣଦେଖା

ଭୁବନେଶ୍ବର, ୨୫|୫: ହେବିୱେଟ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିଜୁ ଜନତା ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ବିଜେଡ଼ି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଦେବାଶିଷ ସାମନ୍ତରାୟ କଟକର ଜଣେ ହେଭି ୱେଟ ବିଜେଡି ନେତା, ଯିଏ ପୂର୍ବରୁ ୩ ଥର ବିଧାୟକ ଏବଂ ସାଂସଦ ହୋଇଛନ୍ତି। ଦେବାଶିଷ ନିଜ ଇସ୍ତଫା ପତ୍ରକୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଛନ୍ତି।

ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନଙ୍କୁ ଯୋଗୁଁ ବିଜେଡି ହାରିଲା ବୋଲି ଅନେକ ନେତା ଅଭିଯୋଗ କରିଥିଲେ ମଧ୍ୟ ବିଜେଡି ସୁପ୍ରିମୋ

ନବୀନ ପଟ୍ଟନାୟକ ତାହା ଶୁଣି ନଥିଲେ। ଦଳରେ ପାଣ୍ଡିଆନଙ୍କ ବିରୋଧରେ ଲଗାତାର ଏକ ନିରବ ବିଦ୍ରୋହ ଜାରି ରହିଥିବା ଦେଖାଯାଇଥିଲା। ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ବି ପଛରେ ରହି ବିଜେଡିକୁ ଚଳାଉଥିବା ଅସନ୍ତୁଷ୍ଟ ମାନେ ଅଭିଯୋଗ କରି ଆସୁଥିଲେ। ଏହି ପ୍ରକାର ଅଭିଯୋଗ ମଧ୍ୟ ଦେବାଶିଷ କରିଥିଲେ। ପାଣ୍ଡିଆନ ଫ୍ୟାକ୍ଟର ଯୋଗୁଁ ନୂଆପଡ଼ା ଉପ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସିଲା ବୋଲି ପୁଣି ଅସନ୍ତୁଷ୍ଟ ଅଭିଯୋଗ କଲେ। ଏହାପରେ ଗତ ରାଜ୍ୟସଭା ନିର୍ବାଚନକୁ ଠିକ ଭାବେ ପରିଚାଳନା ନ କରିବାରୁ ବିଜେଡି ଆଠ ଜଣ ବିଧାୟକଙ୍କୁ ନିଲମ୍ବନ କରିଲା। ପ୍ରାର୍ଥୀ ଚୟନରେ ପାଣ୍ଡିଆନଙ୍କ ନିଷ୍ପତ୍ତି ବୋଲି କଥ ଉଠିଲା। ତଥାପି ଦଳର ସୁପ୍ରିମୋ ଦଳକୁ ସଜାଡ଼ିବାକୁ କୌଣସି ପଦକ୍ଷେପ ନେଲେ ନାହିଁ। ଏବେ କିଛି ନେତା ପାଣ୍ଡିଆନ ଫେରିଆସ ବୋଲି ପ୍ରଚାର କଲେଣି। ବୋଧ ହୁଏ ଦେବାଶିଷଙ୍କ ପାଇଁ ଏହା ଅସହ୍ୟ ହୋଇପଡ଼ି ଥାଇପାରେ। ତେଣୁ ସେ ଦଳ ଛାଡ଼ି ଦେଇଛନ୍ତି।

ଅନ୍ୟପଟେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏକ ରାଷ୍ଟ୍ରୀୟ ଦଳକୁ ଯାଉଛନ୍ତି ବୋଲି କହିଛନ୍ତି। ତାଙ୍କୁ ରାଷ୍ଟ୍ରୀୟ ଦଳର ମୁଖ୍ୟଙ୍କ ଠାରୁ ସେହି ପ୍ରକାରର ଆଶ୍ବାସନା ମିଳିଛି ବୋଲି ଅନୁମାନ କରାଯାଉଛି। ମହାପ୍ରଭୁ ଆର୍ଶୀବାଦ କଲେ ସେ ପୁଣି ରାଜ୍ୟସଭାକୁ ଫେରିବେ ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ ଦେବାଶିଷଙ୍କ ଇସ୍ତଫା ପରେ ଖାଲି ପଡ଼ିବ ଆଉ ଏକ ରାଜ୍ୟସଭା ଆସନ। ପୂର୍ବରୁ ମମତା ମହନ୍ତ ଏବଂ ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ମିଶି ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେହି ବାଟରେ ଦେବାଶିଷ ଯାଉଥିବା ଦେଖାଯାଇଛି।

ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ସଦସ୍ୟ ସଂଖ୍ୟା ୬ ରୁ ୫କୁ ଖସିଛି। ଦଳ ପରିବର୍ତ୍ତନ ନିରୋଧ ଆଇନ ତଥା ସମ୍ବିଧାନର ୧୦ ଅନୁଚ୍ଛେଦ ଅନୁସାରେ ଯଦି ଜଣେ ରାଜ୍ୟସଭା ସଦସ୍ୟ ତାଙ୍କ ରାଜନୈତିକ ଦଳରୁ ଇସ୍ତଫା ଦିଅନ୍ତି ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ତାକୁ ଗ୍ରହଣ କରନ୍ତି, ତେବେ ସେ ଅଯୋଗ୍ୟ ଘୋଷିତ ହେବେ। ରାଜ୍ୟସଭାରେ ଏହି ଆସନଟି ଖାଲି ପଡ଼ିବ, ଯାହା ୬ ମାସ ଭିତରେ ଉପନିର୍ବାଚନ ଦ୍ବାରା ପୂରଣ କରାଯିବ।  ନିର୍ବାଚିତ ରାଜ୍ୟସଭା ସଦସ୍ୟ କେବଳ ସେତିକି କାର୍ଯ୍ୟକାଳ ଉପଭୋଗ କରିବେ ଯେତିକି ପୂର୍ବ ସଦସ୍ୟ ବାକି ଥିବ। ଏହି ଗୋଟିଏ ରାଜ୍ୟ ସଭା ଆସନ ପାଇଁ ଉପ ନିର୍ବାଚନ ହେବାବେଳେ ତାହା ସଂଖ୍ୟା ଦୃଷ୍ଟି ବିଜେଡି ହାତରୁ ଖସି ଯାଇ ପାରେ।

 

Leave a Reply

Your email address will not be published. Required fields are marked *