ମଝି ଆକାଶରେ ଯାତ୍ରୀଙ୍କ ହାର୍ଟ ଆଟାକ୍, ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ନୂଆଦିଲ୍ଲୀ, ୨୯|୫ : ପୁଣି ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ କରିଛି। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ହାର୍ଟ ଆଟାକ୍ ଆସିଥିବା ସୂଚନା ମିଳିଛି । ପାଇଲଟ ଏହି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ତୁରନ୍ତ ଟ୍ରାଫିକ୍ ନିୟନ୍ତ୍ରଣ(ଏଟିସି) ଙ୍କୁ ଜଣାଇଥିଲେ । ଏହା ପରେ ଏଟିସି ବିମାନକୁ ଲକ୍ଷ୍ନୌ ଏୟାରପୋର୍ଟକୁ ପଠାଇଥିଲା । ସୂଚନାନୁଯାୟୀ, ବିମାନରେ ୧୨୮ ଯାତ୍ରୀ ଥିଲେ । ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଏଆଇ-୨୪୧୮ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ମଝି ଆକାଶରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଫଳରେ ଏଟିସି ଏକ ମେଡିକାଲ ଏମରଜେନ୍ସି ଘୋଷଣା କରି ବିମାନକୁ ଲକ୍ଷ୍ନୌ ଏୟାରପୋର୍ଟକୁ ପଠାଇଥିଲା । ଏୟାରପୋର୍ଟରେ ପୂର୍ବରୁ ଡାକ୍ତରୀ ଟିମ୍ ଉପସ୍ଥିତ ଥିଲେ । ସେଠାରେ ବିମାନ ଲ୍ୟାଣ୍ଡିଂ କରିବା ମାତ୍ରେ ଡାକ୍ତରୀ ଟିମ୍ ବୃଦ୍ଧ ବ୍ୟକ୍ତିଙ୍କ ଚିକିତ୍ସା କରି ତାଙ୍କ ଜୀବନକୁ ବଞ୍ଚାଇଥିଲେ ।

