ଜାତୀୟତାଜା ଖବର

ହଟିଲା ୨ ମାସିଆ ସମୁଦ୍ର କଟକଣା, ସଜବାଜ ହେଲେଣି ମତ୍ସ୍ୟଜୀବୀ ଚଳଚଞ୍ଚଳ ତାଳସାରୀ ଓ ଉଦୟପୁର ବେଳାଭୂମି

ବାଲେଶ୍ବର: ମାଛ ମାରିବାକୁ ଗଭୀର ସମୁଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେଣି ମତ୍ସ୍ୟଜୀବୀ। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ସରିବା ପରେ ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରି ପଡ଼ିଛନ୍ତି ସାଗର ସୌଦାଗର। ଏଥିପାଇଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରମୁଖ ମାଛଧରା କେନ୍ଦ୍ରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ତେବେ କଟକଣା ହଟିଥିବାରୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଖୁସି କହିଲେ ନସରେ। 2 ମାସ ଧରି ହାତ ବାନ୍ଧି ବସିଥିବାବେଳେ ଦୁଇ ପଇସା ରୋଜଗାର ନେଇ ଆଶା ବାନ୍ଧିଛନ୍ତି ଧୀବରମାନେ। ଭୋଗରାଇର ପ୍ରମୁଖ ମାଛଧରା କେନ୍ଦ୍ର ଉଦୟପୁର, ତାଳସାରୀ, ରଣସିଂହପୁର ଏବଂ କୀର୍ତ୍ତନିଆ ଜେଟି ଚଳଚଞ୍ଚଳ ହୋଇ ଉଠିଲାଣି। ସମୁଦ୍ରିକ ଜୀବ ମାଛ, କଙ୍କଡ଼ାଙ୍କ ପ୍ରଜନନ ଋତୁ ପାଇଁ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୫ରୁ ଜୁନ୍ ୧୪ ଦୁଇ ମାସ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଥିଲା। ଏହି ସମୟରେ ମାଛମାନେ ଗଭୀର ଜଳରୁ କୂଳକୁ ଆସି ଅଣ୍ଡା ଦେଇଥାନ୍ତି, ସେଥିପାଇଁ ଯନ୍ତ୍ରଚାଳିତ ଡଙ୍ଗା ଉପରେ କଟକଣା ଲଗାଇଥିଲେ ସରକାର। ତେବେ ଏହି କଟକଣା ହଟିବା ପରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବେ। ଏଥିପାଇଁ ଟ୍ରଲର ମାଲିକଙ୍କ ଠାରୁ ଆରମ୍ଭ କରି ଡଙ୍ଗା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ତତ୍ପରତା ବଢ଼ିଯାଇଛି। ତେବେ ଏହି ୨ ମାସ ଭୋଗରାଇର ପ୍ରାୟ ୨ ହଜାରରୁ ଅଧିକ ମତ୍ସ୍ୟଜୀବୀ ଜୀବିକା ହରାଇ ଆର୍ଥିକ ଅନଟନରେ ଗତି କରୁଥିଲେ।

Leave a Reply

Your email address will not be published. Required fields are marked *