ଡ୍ରାଇଭିଂ ସ୍କୋରରେ ଆଗରେ ମହିଳା
ନୂଆଦିଲ୍ଲୀ : ଡ୍ରାଇଭିଂ ସ୍କୋରରେ ଆଗରେ ମହିଳା। ଏବେ ପୁରୁଷ ତୁଳନାରେ ମହିଳା ଅଧିକ ସାବଧାନତା ସହ ଗାଡ଼ି ଚଲାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସାଧାରଣତଃ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା କଥା ଆସିଲେ ପୁରୁଷମାନେ ମହିଳାଙ୍କଠାରୁ ଆଗରେ ବୋଲି ଧାରଣା ରହିଛି। କିନ୍ତୁ ଏବେ ଏହି ଧାରଣାକୁ ଏକ ନୂଆ ରିପୋର୍ଟ ଭୁଲ ପ୍ରମାଣିତ କରିଛି। ବର୍ତ୍ତମାନ ମହିଳା ଚାଳକଙ୍କ ସଂଖ୍ୟା ବଢ଼ିବା ସହ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ସତର୍କ ଓ ସୁରକ୍ଷିତ ଭାବେ ଗାଡ଼ି ଚଳାଉଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ମହିଳା ଡ୍ରାଇଭରଙ୍କୁ ନେଇ ବିଭିନ୍ନ ମିମ୍ସ ଓ ପରିହାସ କରାଯାଉଥିଲେ ମଧ୍ୟ, ଏକ ତାଜା ଅଧ୍ୟୟନ ଏହି ଧାରଣାକୁ ଭୁଲ ପ୍ରମାଣ କରିଛି। ଜୁନୋ ସ୍ମାର୍ଟଡ୍ରାଇଭ୍ ଆପ୍ ମାଧ୍ୟମରେ ଦେଶର ୧୭ଟି ରାଜ୍ୟରେ ୪୫ ଲକ୍ଷରୁ ଅଧିକ ଟ୍ରିପ୍ ଏବଂ ୫୫ ମିଲିୟନ୍ କିଲୋମିଟର ଡ୍ରାଇଭିଂ ତଥ୍ୟର ବିଶ୍ଳେଷଣ କରାଯାଇଥିଲା। ଏହି ଟେଲିମେଟ୍ରି ଡାଟା ଅନୁସାରେ, ସୁରକ୍ଷିତ ଡ୍ରାଇଭିଂ କ୍ଷେତ୍ରରେ ମହିଳାଙ୍କ ଡ୍ରାଇଭିଂ ସ୍କୋର ୯୨.୮୬ ରହିଥିବା ବେଳେ ପୁରୁଷଙ୍କ ସ୍କୋର ୯୨.୪୩ ରହିଛି।ଉଭୟଙ୍କ ସ୍କୋର ମଧ୍ୟରେ ବହୁତ ବଡ଼ ତଫାତ ନଥିଲେ ମଧ୍ୟ, ଏହି ରିପୋର୍ଟ ସ୍ପଷ୍ଟ କରିଛି ଯେ ମହିଳାମାନଙ୍କୁ ଖରାପ ଡ୍ରାଇଭର୍ ବୋଲି କହିବା ଠିକ୍ ନୁହେଁ । ରିପୋର୍ଟ ଅନୁଯାୟୀ, ମହିଳାମାନେ ରାସ୍ତାରେ ଅଧିକ ସତର୍କ ରହିଥାନ୍ତି। ତାଜା ରିପୋର୍ଟରେ ଆହୁରି ଜଣାପଡ଼ିଛି ଯେ ଭାରତରେ ଘଟୁଥିବା ୮୦ ପ୍ରତିଶତରୁ ଅଧିକ ସଡ଼କ ଦୁର୍ଘଟଣା ପଛରେ ଖରାପ ରାସ୍ତା କିମ୍ବା ଗାଡ଼ି ନୁହେଁ, ବରଂ ଚାଳକଙ୍କ ବ୍ୟବହାର ହିଁ ମୁଖ୍ୟ କାରଣ। ଭାରତୀୟ ଡ୍ରାଇଭରଙ୍କ ସବୁଠୁ ବଡ଼ ଦୁର୍ବଳତା ହେଉଛି ହଠାତ୍ ଜୋରରେ ବ୍ରେକ୍ ଲଗାଇବା ଏବଂ ବିନା କାରଣରେ ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା। ଏହାଛଡ଼ା, ଭାରି ବର୍ଷା କିମ୍ବା ଶୀତଦିନର କୁହୁଡ଼ି ଭଳି ପାଣିପାଗର ବିଶେଷ ପ୍ରଭାବ ଡ୍ରାଇଭରଙ୍କ ବ୍ୟବହାର ଉପରେ ପଡ଼ୁନଥିବା ବେଳେ, ଚାଳକଙ୍କ ମାନସିକ ସ୍ଥିତି ଓ କେଉଁ ସମୟରେ ସେ ଗାଡ଼ି ଚଳାଉଛନ୍ତି, ତାହା ଦୁର୍ଘଟଣାର ସମ୍ଭାବନାକୁ ଅଧିକ ପ୍ରଭାବିତ କରୁଛି। ତେଣୁ ଆପଣ ମଧ୍ୟ ଗାଡ଼ି ଚଳାଇବା ବେଳେ ସର୍ବଦା ସତର୍କ ରୁହନ୍ତୁ, ଟ୍ରାଫିକ୍ ନିୟମ ମାନନ୍ତୁ ଏବଂ ସୁରକ୍ଷିତ ଡ୍ରାଇଭିଂକୁ ପ୍ରାଥମିକତା ଦିଅନ୍ତୁ।

