ପୁରା ରାଜ୍ୟରେ ମୌସୁମୀ ବର୍ଷା
ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀ ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୁରା ରାଜ୍ୟକୁ ଛୁଇଁଛି। ୧୧ ଦିନରେ ତଥା ଆଜି ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଛି ମୌସୁମୀ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତିରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

