ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି
କଟକ,୧୧|୬: ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନେଇ ଆଇନ ଶୃଙ୍ଖଳା ସ୍ଥିତିକୁ ବିଶେଷ ଧ୍ୟାନ ଦିଆଯାଉଛି। ସୀମାନ୍ତରେ ନାକାବନ୍ଦୀ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ନେଇ ନିଷ୍ପତ୍ତି ହୋଇଛି। ମୟୂରଭଞ୍ଜରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି। କଟକ ବକ୍ସି ବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବରିଷ୍ଠ ଆଇପିଏସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ମୟୂରଭଞ୍ଜର ପ୍ରମୁଖ ସଡ଼କରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯିବ। କାର୍ଯ୍ୟକ୍ରମ ସ୍ଥଳରେ ଏସ୍ଓଜି, ଷ୍ଟ୍ରାଇକିଂ ଫୋର୍ସ ଓ କେ-୯ ସ୍ପେସାଲ୍ ସ୍କ୍ୱାଡ୍ ନିୟୋଜିତ କରାଯିବ। ସମଗ୍ର ଅଞ୍ଚଳରେ ଅଧିକ ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ବ୍ୟବସ୍ଥା କରାଯିବ। ମୟୂରଭଞ୍ଜର ପଡ଼ୋଶୀ ରାଜ୍ୟ ସୀମାନ୍ତରେ ନାକାବନ୍ଦୀ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ।ଏହାବାଦ୍ ସ୍ଥାନୀୟ ହୋଟେଲ୍, ଲଜ୍ ଆଦିରେ ନିୟମିତ ଯାଞ୍ଚ୍ କରିବାକୁ ଡିଜିପି ମୟୂରଭଞ୍ଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ପୁଲିସ (ଆଧୁନିକୀକରଣ) ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ, ଏସ୍ଏପି ଏଡିଜି ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଭିସିରେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏବଂ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଟୁପାଲି ପ୍ରମୁଖ ଯୋଗଦେଇଥିଲେ।

