ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ହିଟ୍ୱେଭ୍
ଗରମଦିନେ ବଢୁଥିବା ହିଟ୍ୱେଭ୍ କେବଳ ଶାରୀରିକ କ୍ଷତି କରି ନଥାଏ, ବରଂ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ ଅଫିସ ବା ଘରଠାରୁ ବାହାରେ କାମ କରୁଥିବା ବ୍ୟକ୍ତିଙ୍କ ଭିତରେ ଚିଡି ଚିଡଡାପଣ ବଢିଯାଇଥାଏ । ଗରମ ଋତୁର ନାଁ ଧରିଲେ ପ୍ରଥମେ ଅତ୍ୟଧିକ ଝାଳ, ଜଳଶୁଷ୍କତା ଓ ଥକ୍କାପଣ ବା ଲୁ କଥା ମନକୁ ଆସିଥାଏ । କିନ୍ତୁ ପ୍ରାୟ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି। ଏବେକାର ଗ୍ଲୋବାଲ୍ ୱାର୍ମିଂ ଚାଲିଥିବାବେଳେ ଆମ ଶରୀରଠାରୁ ଅଧିକ ମସ୍ତିଷ୍କକୁ ପ୍ରଭାବିତ କରୁଛି। ଏବେକାର ଭୀଷଣ ଗରମ କେବଳ ଶାରୀରିକ ସମସ୍ୟା ହୋଇ ରହିନାହିଁ । ଏହି ବଢୁଥିବା ତାପମାତ୍ରା ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଧ୍ୟାନ ହଟାଇବାରେ ଲାଗିଛି । ଫଳରେ ସେମାନେ ଅଧିକ ଚାପଗ୍ରସ୍ତ ହେବା ସହ ଚିଡିଚିଡା ହେଉଛନ୍ତି । ଭାରତ ପରି ଦେଶରେ ଏହି ସ୍ଥିତି ଅଧିକ ଚିନ୍ତାଜନକ । ଉତ୍ତପ୍ତ ସହର ସାଙ୍ଗକୁ ଗରମ ପବନ, ରାସ୍ତାର ଭିଡ଼, ବିଦ୍ୟୁଟ୍ କାଟ୍ ଓ ଅଫିସ୍ରେ ଦୀର୍ଘ ସମୟ ବସିବା କର୍ମଚାରୀଙ୍କ ପାଇଁ ବୋଝ ପାଲଟିଚାଲିଛି । ଏହା ସେମାନଙ୍କୁ ‘ଇମୋସନାଲ୍ ବର୍ଣ୍ଣଆଉଟ୍’ ଆଡକୁ ଠେଲିବାରେ ଲାଗିଛି । ଆମ ଶରୀର ଏକ ନିଶ୍ଚିତ ତାପମାତ୍ରାରେ ଠିକ୍ ଭାବେ କାମ କରିଥାଏ । ଯେତେବେଳେ ଅଧିକ ଗରମ ହୁଏ, ଶରୀର ତାପମାତ୍ରାକୁ ସ୍ଥିର ରଖିବା ପାଇଁ ଝାଳ ବାହାର କରିବା ସହ ରକ୍ତ ସଞ୍ଚାଳନା ଓ ହୃଦ୍ ସ୍ପନ୍ଦନ ବଢାଇଥାଏ । ଏସବୁ କରିବା ପାଇଁ ଶରୀରକୁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡିଥାଏ, ଯାହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଓ ସ୍ନାୟୁ ବ୍ୟବସ୍ଥା ଉପରେ ପଡିଥାଏ । ଗବେଷଣାରୁ ଜଣାପଡିଛି ଯେ ଅଧିକ ତାପମାତ୍ରା ଆମର ସ୍ମରଣ ଶକ୍ତି, ପ୍ରତିକ୍ରିୟା ସମୟ ଓ ଭାବନା ଉପରେ କାବୁ ରଖିବାର କ୍ଷମତାକୁ ଦୁର୍ବଳ କରି ଦେଇଥାଏ । ଏହି କାରଣରୁ ଧରାବନ୍ଧା ଜୀବନ ବଞ୍ଚୁଥିବା କର୍ମଚାରୀମାନେ ମାନସିକ ଭାବେ ଥକିବା ସହ ଧୈର୍ଯ୍ୟହରା ହୋଇପଡ଼ିଥାନ୍ତି । ଏସିଆନ୍ ହସ୍ପିଟାଲର କ୍ଲିନିକାଲ ସାଇକୋଲୋଜିଷ୍ଟଙ୍କ ମତରେ ଶରୀର ଗରମ ସହ ଲଢିବାରେ ଏତେ ଶକ୍ତି ବିନିଯୋଗ କରିଥାଏ ଯେ ମାନସିକ ସ୍ୱାସ୍ଥ୍ୟ, ଜଳଶୁଷ୍କତା ଓ ନିଦର ଅଭାବ ହେବା ସ୍ୱାଭାବିକ । ଅନେକ ସମୟରେ ବ୍ୟକ୍ତିଙ୍କୁ ଏକଥା ମଧ୍ୟ ଜଣା ନଥାଏ ଯେ ସେମାନଙ୍କ ଥକ୍କାପଣ ପଛର କାରଣ କଣ? ଡାକ୍ତରଙ୍କ ଅନୁସାରେ କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ଅର୍ଥାତ୍ କେବଳ କାମର ଚାପ ନୁହେଁ, ବରଂ ଅସୁବିଧାଜନକ ବାତାବରଣ ହିଁ ବଡ଼ କାରଣ । ଡାକ୍ତରଙ୍କ ମତରେ କର୍ମଚାରୀମାନେ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି । ପର୍ଯ୍ୟାପ୍ତ ପାଣି ପିଅନ୍ତୁ, କାମ ମଝିରେ ଛୋଟ ଛୋଟ ବ୍ରେକ୍ ନେବାକୁ ଭୁଲନ୍ତୁନି। କର୍ମକ୍ଷେତ୍ରରେ ପବନ ଆସଯା’ ମଧ୍ୟ ଗୁରୁତ୍ୱ ଦେବାକୁ ଭୁଲନ୍ତୁନି। ଆବଶ୍ୟକ ପଡ଼ିଲେ ଗ୍ଲୁକୋଜ, ଜୁସ ବ୍ୟବହାର କରନ୍ତି। ଯାହା ମାନସିକ ଅବସାଦକୁ ନିୟନ୍ତ୍ରଣ କରିପାରିବ।

