ଓଡ଼ିଶା ପୋଲିସରେ ମହାନିଯୁକ୍ତି ! ୭,୬୬୪ ପଦ ନିଯୁକ୍ତି କରିବ ଓୟୁଏସଏସଏସସି
ଭୁବନେଶ୍ବର, ୨୭|୫ : ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା । ଓପିଆରବି ବଦଳରେ ଓୟୁଏସଏସଏସସିକୁ ଦାୟିତ୍ବ ହସ୍ତାନ୍ତର କଲେ ରାଜ୍ୟ ସରକାର । ଏହାଦ୍ବାର ୭ହଜାର ୬୬୪ ପୋଲିସ ନିଯୁକ୍ତି ପ୍ରକ୍ରିୟା ହେବ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଅଧିକୃତ ଆଦେଶ । କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର (ଏସଆଇ) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ମାଧ୍ୟମରେ କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏସଆଇ ଓ ଏସଆଇ ରାଙ୍କ ପଦବୀର ନିଯୁକ୍ତି ପୂର୍ବରୁ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆରବି ଅଧିନରେ ଥିଲା କିନ୍ତୁ ବିଭିନ୍ନ କାରଣରୁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା । ବିଶେଷ କରି ଏସଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ପଦାକୁ ଆସିଥିଲା । ଏହାପରେ ସରକାର ସେହି ନିଯୁକ୍ତିକୁ ମଧ୍ୟ ଓୟୁଏସଏସଏସସି ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଓୟୁଏସଏସଏସସି ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏସଆଇ ନିଯୁକ୍ତି ପାଇଁ ପୂର୍ବରୁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ନୂତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଏଥିପାଇଁ ପୁନର୍ବାର ଆବେଦନ କରିବା ଆବଶ୍ୟକ ପଡ଼ିବ କି ନାହିଁ, ସେନେଇ ପରବର୍ତ୍ତୀ ନିର୍ଦ୍ଦେଶିକାରେ ସ୍ପଷ୍ଟତା ଆସିବ ବୋଲି ଅନୁମାନ କରାଯାଉଛି। ଗୃହ ବିଭାଗ ଓପିଆରବିକୁ ନିର୍ଦ୍ଦେଶ ଦେଇଛି ଯେ, ପୂର୍ବରୁ ଏସଆଇ ନିଯୁକ୍ତି ପାଇଁ ମିଳିଥିବା ସମସ୍ତ ଆବେଦନପତ୍ର, ଡାଟା ଓ ସମ୍ପୃକ୍ତ ରେକର୍ଡ ତୁରନ୍ତ ଓୟୁଏସଏସଏସକୁ ହସ୍ତାନ୍ତର କରାଯାଉ। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାରେ ସହାୟତା ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ରାଜ୍ୟରେ ବେକାରି ଯୁବବର୍ଗ ମଧ୍ୟରେ ଏହି ଘୋଷଣାକୁ ନେଇ ଉତ୍ସାହ ଦେଖାଦେଇଛି। ଦୀର୍ଘଦିନ ଧରି ପୋଲିସ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଏହାକୁ ସ୍ୱାଗତ କରିଛନ୍ତି। ବିଶେଷକରି ଏସଆଇ ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିବାରୁ ଅନେକ ପ୍ରାର୍ଥୀ ଅନିଶ୍ଚିତତାରେ ଥିଲେ। ନୂତନ ନିଷ୍ପତ୍ତି ସେମାନଙ୍କ ପାଇଁ ଆଶ୍ୱାସନ ନେଇଆସିଛି।

