ଛତିଶଗଡ଼ରେ ଓଡ଼ିଶା ସାର ମିନି ଟ୍ରକ୍ ସହ ୨୮୦ ବସ୍ତା ସାର ଜବତ
ନୂଆପଡ଼ା: ରାଜ୍ୟରେ ସାର ଅଭାବ ଦେଖାଯାଉଥିବାବେଳେ ଚାଷୀ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଓଡିଶାର ରାସାୟନିକ ସାର ଛତିଶଗଡ଼ରେ ପହଞ୍ଚିଥିବା େଦଖାଯାଇଛି। ଧାନ ପରେ ଏବେ ସାର ଚୋରା ଚାଲାଣ ହେଉଛି। ଜିଲ୍ଲାରେ ରାସାୟନିକ ସାରର ଅଭାବ ରହୁଥିବା ବେଳେ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ସାର ଚୋରାଚାଲାଣ ହୋଇ ଛତିଶଗଡ଼ ପୋଲିସ ହାତରେ ଧରାପଡ଼ିଛି। ଗରିଆବ ବନ୍ଧ ଜିଲ୍ଲା ଦେଭୋଗ ପୋଲିସ ସାର ଜବତ କରି ତଦନ୍ତ ଚଳାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଏକ ମିନି ଟ୍ରକରେ ଗରିଆବନ୍ଧ ଜିଲ୍ଲା ଦେଭୋଗ ଜାଙ୍ଗଡ଼ା ଗାଁକୁ ଚୋରାଚାଲାଣ ହେଉଥିଲା। ଦେଭୋଗ ପୋଲିସ ମିନିଟ୍ରକକୁ ଅଟକ କରି ତଲାସୀ କରିଥିଲା। ସେଠାରେ ୨୮୦ବସ୍ତା ଡିଏପି ସାର ଜବତ ହୋଇଥିଲା। ଏହି ଜବତ ସାରର ବଜାର ମୂଲ୍ୟ ୮ଲକ୍ଷ ୫୦ହଜାର ଟଙ୍କା ଆକଳନ ହୋଇଛି I ଡ୍ରାଇଭର ଯୁଧୁଷ୍ଠିର ଦତ୍ତାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି I ଜବତ ସାର ଦେଭୋଗ କୃଷି ବିଭାଗକୁ ଜିମା ଦିଆଯାଇଛି।

