ପାଇପ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ
ରାୟଗଡ଼ା: ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ଘାଟିରେ ଏକ ଟ୍ରେଲର ଓଲଟିବା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଯାଇଛିI ଫଳରେ ଜାତୀୟ ରାଜପଥରେ ଉଭୟ ପାର୍ଶ୍ୱରେ ଶତାଧିକ ବସ୍ ଟ୍ରକ୍ ଅଟକି ରହିଛି I ହଜାର ହଜାର ଯାତ୍ରୀ ରାତି ସାରା ଜଙ୍ଗଲ ଓ ଘାଟି ରାସ୍ତାରେ ହଇରାଣ ହୋଇଛନ୍ତିI ଏକ ପାଇପ୍ ବୋଝେଇ ଟ୍ରଲର ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ମଧ୍ୟରାତ୍ରିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲାI ଗୁମ୍ମା ଘାଟିର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ରାସ୍ତା ଜାମ ହେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜାତୀୟ ରାଜପଥ ଅଧିକାରୀ ଏନେଇ କୌଣସି ସମାଧାନର ରାସ୍ତା ବାହାର କରୁନଥିବା ଅଭିଯୋଗ କରିଛନ୍ତି ଯାତ୍ରୀI ବାରମ୍ବାର ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିI ବର୍ତ୍ତମାନ କେବଳ ଛୋଟିଆ ଗାଡି ଓ ବାଇକ ଏହି ରାସ୍ତାରେ ଯାତାୟାତ କରୁଛିI ମଧ୍ୟରାତ୍ରିରୁ ରାଜ୍ୟର ଅନ୍ୟ ସ୍ଥାନରୁ କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାକୁ ବସ ଯୋଗେ ଯାଉଥିବା ଯାତ୍ରୀ ଘାଟିରେ ଫସିଯାଇଛନ୍ତିI ଏପରିକି କୋରାପୁଟ ଜିଲ୍ଲାରୁ ଭୁବନେଶ୍ୱର ଯାଉଥିବା ବସ ଯାତ୍ରୀ ମାନେ ଫସି ରହିଛନ୍ତିI ଘଟଣା ସ୍ଥଳରେ କୁମ୍ବିକୋଟା ଫାଣ୍ଡି ଓ ରାୟଗଡା ପୋଲିସ ପହଞ୍ଚିଥିବା ଜଣାପଡିଛିI

