ଗୁଜରାଟ ଉପକୂଳରୁ ୧୦୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର କୋକେନ୍ ଜବତ
ଅହମ୍ମଦାବାଦ, ୨୭|୫: ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) ମୁନ୍ଦ୍ରା ଉପକୂଳରେ ଏକ ମିଳିତ ଅଭିଯାନ ସମୟରେ ପ୍ରାୟ ୧୧୫୦ କୋଟି ଟଙ୍କାର ୧୧୫ କିଲୋଗ୍ରାମ ଓଜନର କୋକେନ୍ ଜବତ କରିଥିବା ଅଧିକାରୀ କହିଛନ୍ତି। ସାମୁଦ୍ରିକ ପଥ ଦେଇ ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଏଟିଏସ୍ ଗୁଜରାଟ ପକ୍ଷରୁ ମେ ୨୫ ଓ ୨୬ ତାରିଖ ମଧ୍ୟରାତ୍ରିରେ ମିଳିତ ଅପରେସନ କରାଯାଇଥିଲା।ପାକିସ୍ତାନର ପୋର୍ଟ କାସିମ ଅଞ୍ଚଳରୁ ଆସିଥିବା ଏକ ୟୁରୋପୀୟ ଜାହାଜ ଉପରେ ସୁରକ୍ଷା ଏଜେନ୍ସି ଚଢଉ କରିଥିଲେ। କୋକେନ୍ ଜବତ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କୋକେନ୍ ଚାଲାଣ ମାର୍ଗ, ଲଜିଷ୍ଟିକ୍ ଚେନ୍ ଓ ହ୍ୟାଣ୍ଡଲର୍ସଙ୍କ ସମ୍ପୃକ୍ତିକୁ ନେଇ ଅଧିକ ତଦନ୍ତ ଚାଲିଛି। ପଶ୍ଚିମ ସୀମାରେ ନିକଟ ଅତୀତରେ ଏହା ସବୁଠୁ ବଡ଼ ନାର୍କୋଟିକ୍ ଅପରେସନ ମଧ୍ୟରୁ ଗୋଟିଏ ବୋଲି ଜଣାପଡ଼ିଛି। ଗତ ଏକ ସପ୍ତାହ ଭିତରେ ଏହା ତୃତୀୟ ବଡ଼ କୋକେନ୍ ଜବତ ଘଟଣା।

