ଜାତୀୟତାଜା ଖବର

ନିରାମୟ କେନ୍ଦ୍ରରେ ପୋକରା ଔଷଧ ଆଣ୍ଟିବାୟୋଟିକ୍ ଔଷଧରେ ପୋକ

ବାରିପଦା: ଜୀବନ ଦାନ କେନ୍ଦ୍ରରେ ମୃତ୍ୟୁର ଔଷଧ। ଗରିବ ଲୋକଙ୍କ ସୁବିଧା ପାଇଁ ସରକାର ନିରାମୟ କେନ୍ଦ୍ର ଖୋଲିଥିବାବେଳେ ଏଠାରେ ଏକ୍ସପାୟାରୀ ଔଷଧ ଦେଇ ମୃତ୍ୟୁକୁ ଡାକୁଛନ୍ତି। ନିରାମୟ କେନ୍ଦ୍ରରେ ମିଳୁଛି ପୋକରା ଔଷଧ। ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି। ମେଡିକାଲରୁ ମିଳିଥିବା ଆଣ୍ଟିବାୟୋଟିକ୍ ଔଷଧରେ ଦେଖାଦେଇଛି ପୋକ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରୁ। ସୂଚନା ଅନୁସାରେ, ଜଣେ ନାବାଳକ ଜ୍ୱର ଓ ଥଣ୍ଡାରେ ଅସୁସ୍ଥ ହେବା ପରେ ଉଦଳା ମେଡିକାଲକୁ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ ଓ ପ୍ରେସକ୍ରିପସନ୍‌ ପରେ ତାଙ୍କୁ ନିରାମୟ କେନ୍ଦ୍ରରୁ ଔଷଧ ଦିଆଯାଇଥିଲା । ମେଡିସିନ୍‌ ଷ୍ଟ୍ରିପ୍‌ ଖୋଲିବା ସମୟରେ ଔଷଧ ଭିତରେ ପୋକ ଥିବା ଦେଖି ପରିବାର ଲୋକ ଚମକି ପଡ଼ିଥିଲେ । ଆଣ୍ଟିବାୟୋଟିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧର ଏଭଳି ଅବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ପରିବାର ଲୋକଙ୍କ ଅଭିଯୋଗ, ଯଦି ଏହି ଔଷଧ ଦିଆଯାଇଥାନ୍ତା, ତେବେ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିପାରିଥାନ୍ତା । ଏହି ଘଟଣା ପରେ ମେଡିକାଲରେ ମିଳୁଥିବା ଔଷଧର ଗୁଣବତ୍ତା ଓ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଓ ପ୍ରତିକ୍ରିୟା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *