ପାହାଡ଼ ଧସି ରାସ୍ତା ଅବରୋଧ ମାନ୍ୟମକୋଣ୍ଡା- ସୀତାପାଲୀ ଯୋଗାଯୋଗ ବିଚ୍ଛିନ୍ନ
କାଲିମେଳା: ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ ହୋଇଛି। ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ କାଲିମେଳା ସଦର ମହକୁମା ଠାରୁ ୩୦ କିମି ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖାଯାଇଛି। ଫଳରେ ମାନ୍ୟମକୋଣ୍ଡାଠାରୁ ପାହାଡ଼ ଉପରେ ଥିବା ସୀତାପାଲୀ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଗତକାଲି ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘାଟି ରାସ୍ତାର ବିଭିନ ସ୍ଥାନରେ ବଡ଼ ବଡ଼ ଗଛ ଓ ପଥର ଓ ମାଟି ଧସି ରାସ୍ତା ଉପରେ ପଡି ଥିବାରୁ ଘାଟି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ମାନ୍ୟମକୋଣ୍ଡା ଠାରୁ ସୀତାପାଲ୍ଲୀ ଗ୍ରାମ ଦେଇ ପାହାଡ଼ ଉପରେ ଥିବା ଗୁଣ୍ଠାବେଡା ଗାଁ ପର୍ଯ୍ୟନ୍ତ ଗତ ବର୍ଷ ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା।

