ପିଲାଙ୍କ ପଢ଼ା ବହିରେ ମାଳ ମାଳ ଭୁଲ ତ୍ରୁଟି ସୁଧାରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ) :ପିଲାଙ୍କ ପଢ଼ା ବହି ହଜାରେ ଭୁଲ ଦେଖିବାକୁ ମିଳିଛି। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କେଉଁଠି ନିୟମଗିରି ପାହାଡ଼ ଝାଡ଼ଖଣ୍ଡରେ ଅଛି ବୋଲି ଲେଖା ଅଛି ତ କେଉଁଠି ଓଡ଼ିଶା ବିଧାନସଭା ଜାଗାରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ଅଛି। ପ୍ରଥମରୁ ଅଷ୍ଟମ ଯାଏଁ ପଢ଼ା ବହିରେ ୧୭ ଶହ ତ୍ରୁଟି ଥିବାବେଳେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିଲାଙ୍କ ପଢ଼ା ବହିରେ ସାଂଘାତିକ ବିଭ୍ରାଟ ଦେଖାଯାଇଥିବାବେଳେ ତୁରନ୍ତ ଭୁଲ୍ ସୁଧାରିବୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ବହିରେ ଯଦି ଶହ ଶହ ଭୁଲ, ତାହେଲେ ହେବ କଣ ? ଏଥିପାଇଁ କିଏ ଦାୟୀ ? ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାବହିରେ ମାଳ ମାଳ ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିଛି। ପିଲାଙ୍କ ବହିରେ ଚିହ୍ନଟ ହୋଇଛି ୧୬୭୮ଟି ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି। କେବଳ ଅଷ୍ଟମ ଶ୍ରେଣୀ ବହିରେ ରହିଛି ୭୦୫ଟି ଭୁଲ। ଯାହାକୁ ନେଇ ଶିକ୍ଷକ ଓ ଅଭିଭାବକ କ୍ଷୁବ୍ଧ ହୋଇଥିବା ବେଳେ ମନ୍ତ୍ରୀ କହିଛନ୍ତି, ସେସବୁର ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଚଳିତ ବର୍ଷ ଛପାଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିର ଏ ହେଉଛି ବିକଳ ଚିତ୍ର। ଖରା ଛୁଟି ସରିବାକୁ ବସିଥିବା ବେଳେ ଏଯାଏ ପିଲାଙ୍କୁ ସବୁ ବହି ମିଳିନି, ଆଉ ଯେଉଁ ବହି ମିଳିଛି ସବୁ ଶ୍ରେଣୀରେ ଦେଖିବାକୁ ମିଳିଛି ଏଭଳି ମାଳ ମାଳ ଭୁଲ। ରାଜ୍ୟ ସରକାରଙ୍କ SCERT ଦ୍ବାରା ମୁଦ୍ରିତ ପଞ୍ଚମ ଶ୍ରେଣୀର ‘ଆମ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ଗଞ୍ଜାମ ବଦଳରେ ଲେଖାଯାଇଛି ବ୍ରହ୍ମପୁର ଜିଲ୍ଲାର ହୁମା ଲୁଣ ମରା ପାଇଁ ପ୍ରସିଦ୍ଧ। ସବୁ ଭୁଲ୍ କୁ ଟପି ଯାଇଛି ସପ୍ତମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି। ଯେଉଁଥିରେ ଓଡ଼ିଶା ବିଧାନସୌଧ ବଦଳରେ ଛପାଯାଇଛି କର୍ଣ୍ଣାଟକ ବିଧାନସଭାର ଚିତ୍ର। ସେହିପରି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ନିୟମଗିରି ଝାଡ଼ଖଣ୍ଡ ରାଜ୍ୟର ବୋଲି ଲେଖାଯିବା ଭଳି ସାଂଘାତିକ ତ୍ରୁଟି ସମସ୍ତଙ୍କୁ ତାଜୁବ କରିଛି। ଗୋଟିଏ କି ଦୁଇଟି ନୁହଁ ସୂଚନା ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବିଭିନ୍ନ ବହିରେ ମୋଟ୍ ୧୬୭୮ଟି ସ୍ଥାନରେ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ରହିଛି। ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ବର୍ଷ ଆରମ୍ଭରୁ ବହି ମିଳିବାରେ ବହୁ ବିଳମ୍ବ ହୋଇଥିଲା। ଏଯାଏ ସବୁ ବହି ମିଳିନି। ଏବେ ପୁଣି ବହି ସଂଶୋଧନ ପାଇଁ ଯଦି ପଠାଯାଏ ତାହେଲେ ଅଧିକ ସମୟ ନଷ୍ଟ ହେବ। ପାଠ୍ୟପୁସ୍ତକ ଛାପିବା ଦାୟିତ୍ବ SCERTର। ବହି ଛାପିବା ବେଳେ ତଥ୍ୟଗତ ଗବେଷଣା ସହ ସେଗୁଡ଼ିକର ତର୍ଜମା କରାଯାଇ ନିର୍ଭୁଲ ଭାବେ ଛପାଯାଏ। ଛପା ପରେ ତାକୁ ତନ୍ନ ତନ୍ନ କରି ଯାଂଚ ବି କରାଯାଇଥାଏ। ତା ସତ୍ତ୍ବେ ଏତେ ଭୁଲ କିପରି ହେଲା ତାକୁ ନେଇ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

