ପୁରୀରେ ବ୍ରିକ୍ସ ସମ୍ମିଳନୀ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ: ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀରେ ଚାଲିଛି ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ ବୋଲି କହିଛନ୍ତି। ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ କରିବ । ଏହି ପ୍ରକଳ୍ପ ଓଡ଼ିଶାର ବାତ୍ୟା ପ୍ରବଣ ଉପକୂଳରେ ଏକ ଦୃଢ଼ ବିକଳ୍ପ ପରିବହନ କରିଡର ପ୍ରଦାନ କରିବ। ଯାହା ଗୁରୁତର ବିପର୍ଯ୍ୟୟ ସମୟରେ ଦ୍ରୁତ ଗଣ-ସ୍ଥାନାନ୍ତରଣକୁ ସୁଦୃଢ କରିବ, ବାଧାହୀନ ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ଏବଂ ଜରୁରୀକାଳୀନ ମୁକାବିଲା ତଥା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରିକ୍ସ ସମ୍ମିଳନୀରେ କହିଛନ୍ତି। ବିପର୍ଯ୍ୟୟ ଆଶଙ୍କା ହ୍ରାସ ଦିଗରେ ପ୍ରତିରୋଧୀ ଭିତ୍ତିଭୂମିର ଭୂମିକା ସମ୍ପର୍କରେ ଆଲୋକପାତ କରି ଶ୍ରୀ ମାଝୀ ନିକଟରେ ଅନୁମୋଦିତ ହୋଇଥିବା ରାମେଶ୍ବରମ୍-ପାରାଦୀପ କୋଷ୍ଟାଲ୍ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶା ପାଇଁ ଅନୁମୋଦିତ ଅନ୍ୟାନ୍ୟ ରୂପାନ୍ତରଣମୂଳକ ଭିତ୍ତିଭୂମି ପଦକ୍ଷେପଗୁଡ଼ିକର ପରିପୂରକ। ନୀତି ଆୟୋଗର ସହାୟତାରେ କେନ୍ଦ୍ରୀୟ ଅନୁଦାନରୁ ୫,୦୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ପ୍ରକଳ୍ପ। ଏହି ପ୍ରକଳ୍ପଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ନାହିଁ, ବରଂ ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରତିରୋଧ ଏବଂ ଜଳବାୟୁ ଅନୁକୂଳ ପଦକ୍ଷେପ ନେବାରେ ମଧ୍ୟ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକର ସଫଳତା ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ସିଏମ୍ ମାଝୀ କହିଛନ୍ତି ଯେ, “ପୁରୀ ଅଧିବେଶନ” ବିଶ୍ୱସ୍ତରୀୟ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପ୍ରୟାସରେ ଏକ ସ୍ମରଣୀୟ ଅବଦାନ ଭାବେ ଉଭା ହେବାର ସାମର୍ଥ୍ୟ ରଖିଛି। “ପୁରୀର ଏହି ଐତିହାସିକ ସମାବେଶରୁ ଯେଉଁ ଫ୍ରେମ୍ୱାର୍କ ପ୍ରକାଶ ପାଇବ, ତାହା ବିଶ୍ୱ ସୁରକ୍ଷା ପାଇଁ ମାର୍ଗ ପ୍ରଦର୍ଶନ କରିପାରିବ ଏବଂ ବିପର୍ଯ୍ୟୟ ଆଶଙ୍କା ହ୍ରାସ କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗକୁ ପୁନସ୍ଥାପିତ କରିପାରିବ।” ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଶା ପ୍ରକଟ କରିଥିଲେ ଯେ ଏହି ଆଲୋଚନାଚକ୍ର ଆଗାମୀ ପିଢ଼ି ପାଇଁ ଅଧିକ ସୁରକ୍ଷିତ, ପ୍ରତିରୋଧୀ ଏବଂ ସ୍ଥାୟୀ ସମାଜ ଗଠନ ପାଇଁ ଆମର ସାମୂହିକ ସଂକଳ୍ପକୁ ସୁଦୃଢ଼ କରିବ ।

