ପୂର୍ବ ଭାରତର ଅର୍ଥନୈତିକ କରିଡର ପାରାଦୀପ: ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁ କରିବ ୬୫ ହଜାର କୋଟି ନିବେଶ ବଲାଙ୍ଗିର ଓ ପାରାଦୀପରେ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ
ପାରାଦୀପ, ୨୭|୫: ଜଗତସିଂହପୁର ଜିଲ୍ଲା ପାରାଦୀପ ଗସ୍ତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଜେଏସଡବ୍ଲୁ କାରଖାନା କରିବ। ଏହାର ଉତ୍ପାଦନ କ୍ଷମତା ୧୩.୨ ମେଗାଟନ୍ ଥିବାବେଳେ ହଜାର ହଜାର ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ସହଯୋଗୀ ଶିଳ୍ପକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଏହା ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ଓ ଆର୍ଥିକ ଶକ୍ତି କେନ୍ଦ୍ର ଭାବେ ଆହୁରି ସଶକ୍ତ କରିବ। ଦୁଇଟି ପର୍ଯ୍ୟାୟରେ ୨୪ ମିଲିୟନ ଟନର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୨ ମିଲିଅନ ଟନର ସିମେଣ୍ଟ ପ୍ଲାଣ୍ଟ ବି ହେବ ବୋଲି ସେ କହିଛନ୍ତି। ଭାରତର ସର୍ବାଧିକ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ଭାବେ ଓଡ଼ିଶା, ଦେଶର ‘ମିଶନ ପୂର୍ବୋଦୟ’ରେ ଏହାର ଗୁରୁତ୍ବପୂର୍ଣ୍ଣ ଭୁମିକା ନେବ। ଜେଏସଡବ୍ଲୁର ଏହି ନିବେଶ ପୂର୍ବ ଭାରତର ଶିଳ୍ପାୟନ ଓ ଆର୍ଥିକ ପରିବର୍ତ୍ତନକୁ ତ୍ବରାନ୍ବିତ କରିବା ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆୟୋଜିତ ବିଶାଳ ଜନସମାବେଶରେ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ଉପକୂଳରେ ଶିଳ୍ପର ପ୍ରଗତି ଏବଂ ଅର୍ଥନୈତିକ ବିକାଶର ମୂଳଦୁଆ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବଲାଙ୍ଗିର ଓ ପାରାଦୀପରେ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ କରିବୁ। ଏହି ଅବସରରେ ବିଧାୟକ ବିଭୂତି ଭୂଷଣ ଜେନା, ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ, ସାଂସଦ ବିଭୁ ପ୍ରସାଦ ତରାଇ , ବିଧାୟକ ଅମନ୍ଦ୍ରେଦ ଦାସ, ବିଧାୟକ ଶାରଦା ପ୍ରସନ୍ନ ଜେନା, ଉନ୍ନୟନ କମିଶନର ଡି.କେ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଜେଏସଡବ୍ଲୁ ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ।

