ବିଳମ୍ବ ଫୈସଲା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସମସ୍ତ ହାଇକୋର୍ଟଙ୍କୁ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୯|୫: ବିଳମ୍ବ ଫୈସଲା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ବିଭିନ୍ନ ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକା ନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି କି ବ୍ୟକ୍ତିଗତ ସ୍ବାଧୀନତା ମାମଲାରେ ସମୟସୀମା ଆହୁରି କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଝାଡ଼ଖଣ୍ଡ ହାଇକୋର୍ଟରେ ରାୟ ପ୍ରକାଶ କରିବାରେ ଏବଂ ୱେବସାଇଟରେ ଅପଲୋଡ୍ କରିବାରେ ହେଉଥିବା ଅତ୍ୟଧିକ ବିଳମ୍ବ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଗାଇଡଲାଇନ୍ ଜାରି କରିଛନ୍ତି । ନ୍ୟାୟିକ ପ୍ରକ୍ରିୟାରେ ହେଉଥିବା ଅଯଥା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ନିଜର ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଦେଶର ସମସ୍ତ ହାଇକୋର୍ଟଙ୍କ ପାଇଁ ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହାସହ ସୁପ୍ରିକୋର୍ଟ କହିଛନ୍ତି, ବେଲ୍ ବା ଜାମିନ ଆବେଦନର ଶୁଣାଣି ସରିବା ପରେ ସେହି ଦିନ ହିଁ ରାୟ ଶୁଣାଇବାକୁ ହେବ। ଯଦି ରାୟ ସଂରକ୍ଷିତ ରଖାଯାଏ, ତେବେ ପରଦିନ ନିଶ୍ଚିତ ଭାବେ ରାୟ ପ୍ରକାଶ ପାଇବ । ଥରେ ଜାମିନ ମିଳିବା ପରେ ଉକ୍ତ ଆଦେଶକୁ ତୁରନ୍ତ ଟ୍ରାଏଲ୍ କୋର୍ଟ (ନିମ୍ନ ଅଦାଲତ)ଙ୍କୁ ଅବଗତ କରାଯିବ ଏବଂ ଆବଶ୍ୟକୀୟ ଔପଚାରିକତା ଶେଷ ହେବା ପରେ ବିଚାରାଧୀନ ବନ୍ଦୀଙ୍କୁ ସେହି ଦିନ ହିଁ ଜେଲରୁ ମୁକ୍ତ କରାଯିବ । ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାୟ ଶୁଣାଣିର ୨୪ ଘଣ୍ଟା ମଧ୍ୟରେ ସମସ୍ତ ନିଷ୍ପତ୍ତିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଦିନ ରାୟର ମୁଖ୍ୟାଂଶ ଅଦାଲତରେ ପଢ଼ାଯିବ, ସେହି ଦିନକୁ ହିଁ ରାୟ ପ୍ରକାଶ ପାଇବାର ସରକାରୀ ତାରିଖ ଭାବେ ଗ୍ରହଣ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଅବସରରେ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ହାଇକୋର୍ଟ ହେଉଛି ନ୍ୟାୟ ପ୍ରଦାନର ପ୍ରାଥମିକ ସ୍ଥାନ ଯେଉଁଠିକୁ ନ୍ୟାୟ ଆଶାରେ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି । ବିଚାର ପ୍ରକ୍ରିୟାରେ ବିଳମ୍ବ ହେଲେ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ କ୍ଷୁର୍ଣ୍ଣ ହୋଇଥାଏ । ତେବେ ଏହି ନିର୍ଦ୍ଦେଶାବଳୀ କୌଣସି ନିର୍ଦ୍ଦିଷ୍ଟ ବିଚାରପତି ବା ନ୍ୟାୟିକ ସଂସ୍ଥାକୁ ଆକ୍ଷେପ କରିବା ପାଇଁ ନୁହେଁ ବରଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

