ଜାତୀୟତାଜା ଖବର

ଶୀତଳ ଷଷ୍ଠୀ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ର ଯାଞ୍ଚ

ସମ୍ବଲପୁର: ବିଶ୍ୱପ୍ରସିଦ୍ଧ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସହର ଏବେ ଉତ୍ସବମୁଖର l ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷିତ ଭାବେ ସମାପନ କରିବା ପାଇଁ ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କ ସହ ଅନ୍ୟ ଅଧିକାରୀମାନେ ଏହା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି l ଭକ୍ତ ଏବଂ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ପଡ଼ାରେ ଆଣ୍ଟି-ସାବୋଟେଜ୍‌ ଚେକିଂ (ନାଶକତା ବିରୋଧୀ ଯାଞ୍ଚ) କରାଯାଉଛି l ଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ବମ୍ ଡିସପୋଜାଲ ସ୍କ୍ୱାଡ୍ ଏବଂ କ୍ୟାନାଇନ୍ (ଡଗ୍) ସ୍କ୍ୱାଡ୍ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି l ପୋଲିସ ଅଧିକାରୀ ଓ ସୁରକ୍ଷା କର୍ମୀମାନେ ନୟାପଡ଼ା ଏବଂ ସହରର ଅନ୍ୟାନ୍ୟ ପ୍ରମୁଖ ରାସ୍ତାରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ସନ୍ଦିଗ୍ଧ ବସ୍ତୁ ଓ ସ୍ଥାନଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି l ଶ୍ରଦ୍ଧାଳୁମାନେ ଯେପରି ନିର୍ଭୟରେ ଏବଂ ଆନନ୍ଦ ଉଲ୍ଲାସର ସହ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଏହି ଭବ୍ୟ ବିବାହ ମହୋତ୍ସବର ସାକ୍ଷୀ ହୋଇପାରିବେ, ସେଥିପାଇଁ ପୋଲିସ ବାହିନୀ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ସହରବାସୀ ଏବଂ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଶାସନ ସହ ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି l

Leave a Reply

Your email address will not be published. Required fields are marked *