ଜାତୀୟତାଜା ଖବର

ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭।୬ : ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ। ପଞ୍ଚସଖା ଯେପରି ସତ୍ୟବାଦୀଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ସେଠାରେ ପିଲାମାନଙ୍କୁ ଯେପରି ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା,  ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଗୁଡିକ ମଧ୍ୟ ସେହିପରି ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ରବିବାର ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତ  ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର  ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଥମିକ ଶିକ୍ଷା ହେଉଛି ଜଣେ ଛାତ୍ରର ଶିକ୍ଷାଗ୍ରହଣର ମୂଳଦୁଆ। ମୂଳଦୁଆ ଯେତିକି ସୁଦୃଢ ହେବ, ପିଲାର ଭବିଷ୍ୟତ ସେତିକି ଉଜ୍ଜ୍ୱଳ ହେବ। ତେଣୁ, ଆମ ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ବାତାବରଣ ସୁଦୃଢ ଏବଂ ସଂଗଠିତ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ପିଲାମାନେ ସର୍ବୋତ୍ତମ ଓ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ। ଆଜିର ବଦଳୁଥିବା ନିଯୁକ୍ତି ବଜାରରେ ପିଲାମାନେ କେବଳ ପାଠ ପଢିବା ଯଥେଷ୍ଟ ନୁହେଁ, ବରଂ ସେମାନେ କିପରି ନିଯୁକ୍ତିଯୋଗ୍ୟ ହେବେ, ସମସ୍ୟାର ସମାଧାନ କରିପାରିବେ ଏବଂ ସୃଜନଶୀଳ ହେବେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା। ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ, ପି.ଏମ୍ ଶ୍ରୀ, ଶିଶୁ ବାଟିକା, ଐତିହ୍ୟ ବିଦ୍ୟାଳୟ ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଆଦି ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆଜି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି। ରାଜ୍ୟର ଶିକ୍ଷକ ଅଭାବ ସମସ୍ୟାକୁ ଗମ୍ଭୀରତାର ସହ ନେଇ ବିଗତ ୨ ବର୍ଷ ମଧ୍ୟରେ ୨୬,୬୧୫ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆମେ ପଦକ୍ଷେପ ନେଉଛୁ। ଆମର ଏହିସବୁ କାର୍ଯ୍ୟକ୍ରମ ରାଜ୍ୟରେ କେବଳ ଶିକ୍ଷାର ଭିତ୍ତିଭୂମିକୁ ସଦୃଢ କରିବ ନାହିଁ, ବରଂ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ମୟୂରଭଞ୍ଜ ଜିଲ୍ଲା ଦେଉଳୀ ସ୍କୁଲର ଛାତ୍ରୀ ଅଭିଲିପ୍ସା ସିଂ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ସତ୍ୟପ୍ରକାଶ ଭୂୟାଁ ଓ ରାଧିକା, ବାଲେଶ୍ୱର ଜିଲ୍ଲା ଗେଙ୍ଗୁଟି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ଘଡା ଏବଂ ନୂଆପଡା ଜିଲ୍ଲାର ଶିକ୍ଷୟିତ୍ରୀ ପ୍ରମିଳା କୁଣ୍ଡୁଙ୍କ ସହିତ ସେମାନଙ୍କର ପାଠପଢା ଓ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଯେ, ଯେଉଁ ଜାତି ତା’ର ଶିକ୍ଷା ବ୍ୟବସ୍ଥାକୁ ଯେତେ ବିକଶିତ କରିଛି,  ସେ ଜାତି ଆଗକୁ ବଢିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ଯୋଜନା ଆଗାମୀ ଦିନରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ପିଲାମାନେ ଭଲ ଶିକ୍ଷା ଗ୍ରହଣ କଲେ, ସେମାନେ ନିଜର ଭବିଷ୍ୟତ ଗଠନ କରିବା ସହ ଦେଶ ଓ ରାଜ୍ୟର ପ୍ରଗତିରେ ଯୋଗଦାନ ଦେବେ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।

ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ୨ ବର୍ଷ ମଧ୍ୟରେ ୨୬,୦୦୦ ସ୍କୁଲକୁ ରାଜସ୍ୱ ବିଭାଗ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା କୁମାରବସ୍ତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ, ଜିଲ୍ଲାପାଳ ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ମାସରେ ବାଣପୁର ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ୨୨୦୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

Leave a Reply

Your email address will not be published. Required fields are marked *