ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଗୃହିଣୀଙ୍କ ମାସକ ଘରକାମର ମୂଲ୍ୟ ୩୦ ହଜାର ଟଙ୍କା
ନୂଆଦିଲ୍ଲୀ: ଏକ ଦୁର୍ଘଟଣା ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାର ପ୍ରତି ପତ୍ନୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ସେମାନଙ୍କୁ ଗୃହିଣୀ ପରିବର୍ତ୍ତେ ରାଷ୍ଟ୍ର ନିର୍ମାତା ଭାବରେ ଉଲ୍ଲେଖ କରାଯିବା ଉଚିତ୍। ସୁପ୍ରିମକୋର୍ଟଙ୍କର ଏକ ଖଣ୍ଡପୀଠ କହିଛନ୍ତି ଯେ, ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ପ୍ରଦାନ ପାଇଁ ଘରର ଦେଖାଶୁଣାର କ୍ଷତିକୁ ଏକ ଅତିରିକ୍ତ ଆଧାର ଭାବରେ ବିବେଚନା କରାଯିବ। ଏହି ରାୟ ଗୃହିଣୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ମାମଲାରେ ପ୍ରଦାନ କରାଯାଇଛି। କୋର୍ଟ କହିଛନ୍ତି, ଘରେ କାମ କରୁଥିବା ମହିଳା ଓ ଅଫିସ ଯାଇ ଘର ଚଳାଇବା ପାଇଁ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁନ୍ତି। ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଜଣେ ଗୃହିଣୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ଭାବରେ ସେମାନଙ୍କ ଅବଦାନକୁ ଆକଳନ କରିବା କଷ୍ଟକର। ଜଣେ ଗୃହିଣୀ ମାସକୁ ଅତି କମରେ ୩୦ ହଜାର ଟଙ୍କାର ଘରକାମ କରିଥାନ୍ତି। ଖଣ୍ଡପୀଠ ଘରୋଇ କାର୍ଯ୍ୟ ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୦୬ ମସିହାରେ, ଉତ୍ତରାଖଣ୍ଡରେ ଏକ ସଡ଼କ ଦୁର୍ଘଟଣାରେ ମହିଳା ମୃତ୍ୟୁ ପରେ କ୍ଷତିପୂରଣ ଦାବି ମାମଲାରେ ସୁପ୍ରିମକୋର୍ଟ ଏଭଳି ଶୁଣାଣି କରିଛନ୍ତି।

