କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି
ଗଞ୍ଜାମ, ୪|୬()କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ। ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ ?ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର କୁଆଡେ ଗଲା ପ୍ରତିନିଧି ଦଳ ପ୍ରଶ୍ନ କରିଥିବାବେଳେ ସୁଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଉ ବୋଲି ଦାବି କରିଥିଲେ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ସହ ଅକଥନୀୟ ନିର୍ଯାତନା ଯୋଗୁଁ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଜାତୀୟ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି। ବିନା ଅଭିଯୋଗରେ ତାଙ୍କୁ ଘରୁ ଉଠାଇ ଆଣି ଥାନାରେ ଏକ ସପ୍ତାହ ଯାଏଁ ଶାରିରୀକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ପରିବାର ନିକଟରେ ଛାଡ଼ି ଦେଇଥିଲା ପୋଲିସ। ପରିବାର ଲୋକେ ବ୍ରହ୍ମପୁର ଏମକେସିଜି ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ସୁଶାନ୍ତଙ୍କ ପତ୍ନୀ ଏଫଆଇଆର ଦେଇଥିବାବେଳେ ପୋଲିସ କାହିଁକି ମାମଲା ରୁଜୁ କରି ନାହିଁ ବୋଲି ପ୍ରତିନିଧି ଦଳ ପ୍ରଶ୍ନ କରିଛନ୍ତି। ଯେଉଁ ପୋଲିସ ଅଧିକାରୀଙ୍କ ନିର୍ଯାତନାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ବିରୋଧରେ ଏବେ ସୁଦ୍ଧା ମାମଲା ରୁଜୁ କାହିଁକି ହୋଇନି ବୋଲି ପ୍ରଶ୍ନ କରିଛି ବିଜେଡି।
କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣା ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ନିର୍ଯାତନା ଯୋଗୁଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ କଡ଼ା ନୋଟିସ୍ ଜାରି କରିଛି। ଆସନ୍ତା ୩ ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କିତ ସମ୍ପୂର୍ଣ୍ଣ ‘ଆକ୍ସନ୍ ଟେକେନ୍ ରିପୋର୍ଟ’ (ATR) ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛି।

