ଜାତୀୟତାଜା ଖବର

ମଦ ଦୋକାନ ପାଇଁ ମହାଲଢ଼େଇ ୨୧ ଦୋକାନ ପାଇଁ ୫୩୨ ଆବେଦନ ରାଜକୋଷକୁ ଆସିଲା ୧୬ କୋଟି !

ବଲାଙ୍ଗିର, ୩।୬: ମଦ ଦୋକାନ ପାଇଁ ମହାଲଢ଼େଇ ଦେଖିବାକୁ ମିଳିଛି। ଲଟେରି ମାଧ୍ୟମରେ କରାଯାଉଥିବାବେଳେ ପ୍ରଶାସନ, ପୋଲିସ ଏବଂ ଅବକାରୀ ବିଭାଗକୁ ସାରା ଦିନ ଲାଗିଗଲା । ସକାଳୁ ଅପରାହ୍ନ ଯାଏଁ କଡ଼ା ସୁରକ୍ଷାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଚାଲିଥିଲା । ସମ୍ପୂର୍ଣ୍ଣ ଲଟେରିକୁ ସ୍ୱଚ୍ଛ ଏବଂ ନିର୍ବିବାଦୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ପକ୍ଷରୁ ସମସ୍ତ ନିଲାମୀ କରାଯାଇଥିଲା । ଅନ୍ୟଥର ଅପେକ୍ଷା ଚଳିତ ବର୍ଷ ଅମାନତ ରାଶି ବୃଦ୍ଧି କରାଯାଇଥିଲେ ହେଁ ଲଟେରିରେ ରେକର୍ଡ ସଂଖ୍ୟକ ବ୍ୟବସାୟୀ ସାମିଲ ହୋଇଥିଲେ । ଜିଲ୍ଲାର ମାତ୍ର ୨୧ଟି ମଦ ଦୋକାନ ପାଇଁ ୫୩୨ଟି ଆବେଦନ ହୋଇଥିଲା । ଯେଉଁଥିରେ ଅମାନତ ବାବଦକୁ ଅବକାରୀ ବିଭାଗର ପେଡ଼ିରେ ୧୫କୋଟି ୯୬ଲକ୍ଷ ଟଙ୍କା ଯାଇଛି । ଏହି ଅମାନତ ରାଶି ଫେରସ୍ତ ମିଳିବନି ବୋଲି ଆଗରୁ ସ୍ପଷ୍ଟ କରିଥିଲା । ସୂଚନାଯୋଗ୍ୟ ଯେ, ଗତ ମାସ ଜିଲ୍ଲାର ୨୧ଟି ବିଦେଶୀ ମଦଦୋକାନ ଲଟେରି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ବଲାଙ୍ଗିର ଅବକାରୀ ଅଧୀକ୍ଷକ କାର୍ଯ୍ୟାଳୟ ଅଧୀନରେ ୨୧ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଇଁ ଲଟେରିରେ ଭାଗ ନେବାକୁ ବେପାରୀଙ୍କୁ ଅନ୍‌ଲାଇନରେ ଆହ୍ୱାନ କରାଯାଇଥିଲା । ବେପାରୀଙ୍କୁ ବିଦେଶୀ ମଦ ଦୋକାନ ପିଛା ୩ ଲକ୍ଷ ଟଙ୍କା ଧାର୍ଯ୍ୟ ଅମାନତ ରାଶି ଗତ ୧୮ ତାରିଖ ସୁଦ୍ଧା ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା । ଏମିତିକି ସେହି ଅମାନତ ଅର୍ଥ ଫେରସ୍ତ ମିଳିବନି ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଥିଲା  । ତଥାପି ୨୧ଟି ଠିପିବନ୍ଦ ମଦଦୋକାନ ଲଟେରିରେ ଭାଗନେବାକୁ ୫୩୨ଜଣ ବେପାରୀ ଆବେଦନ କରିଥିଲେ । ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ଲେଖାଏଁ ହାରରେ ପ୍ରାୟ ୧୬କୋଟି ଟଙ୍କା ଅବକାରୀ ପେଡ଼ିକୁ ଯାଇଥିବା ଜଣାପଡ଼ିଛି। ଏହି ଲଟେରିରେ ସାମିଲ ହେବାକୁ କେବଳ ବଲାଙ୍ଗୀର ନୁହେଁ ବରଂ ପଡ଼ୋଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର କେତେକ ବ୍ୟବସାୟୀ ମଧ୍ୟ ଆସିଥିବା ଦେଖିବାକୁ ମିଳିଥିଲା। ତେବେ ବଲାଙ୍ଗିର ଭଳି ଏକ ବିକାଶନୋମୁଖୀ ଜିଲ୍ଲାରେ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ର ସଂଘର୍ଷ କରୁଥିବାବେଳେ ମଦ ବ୍ୟବସାୟ ପାଇଁ ଏଭଳି ଆଗ୍ରହକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *