ଶପଥ ନେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଶିବକୁମାର
ବେଙ୍ଗାଲୁରୁ, ୩|୬: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡି.କେ ଶିବକୁମାର । ଲୋକଭବନରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ୬୪ ବର୍ଷୀୟ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପ୍ରଭାବଶାଳୀ ଦଳିତ ନେତା ଜି ପରମେଶ୍ବର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ଗ୍ରହଣ କରିଛନ୍ତି। ଏହି ହାଇ-ପ୍ରୋଫାଇଲ୍ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସମେତ ଶପଥ ଗ୍ରହଣ ଉତ୍ସବରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଅଭିନେତା ଜୟମାଳା ଓ ଶିବ ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ। ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଶିବକୁମାରଙ୍କ କ୍ୟାବିନେଟରେ ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ବିଧାୟକଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତ ସପ୍ତାହରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଶିବକୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ଆଠ ଥର ବିଧାୟକ ତଥା ପ୍ରଭାବଶାଳୀ ନେତା ଶିବକୁମାରଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। କଂଗ୍ରେସ ଭିତରେ ଶିବକୁମାର ସଙ୍କଟ ମୋଚକ ଓ ସାଙ୍ଗଠନିକ ବ୍ୟକ୍ତି ଭାବେ ବିବେଚିତ ହୋଇଥାନ୍ତି। ଅସ୍ଥିରତା ସମୟରେ ଦଳର ସଙ୍ଗଠନକୁ ମଜଭୁତ ରଖିବା ପାଇଁ ଶିବକୁମାର ଜଣାଶୁଣା। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ତାଙ୍କୁ ସିଦ୍ଦରମୈୟାଙ୍କ ସହିତ ଦୀର୍ଘଦିନ ହେଲା ସଂଘର୍ଷ କରିବାକୁ ପଡ଼ିଥିଲା।

