ଏସଆଇଆର କାମରେ ଅବହେଳା, ବିଡିଓ ନିଲମ୍ଵିତ
ବାରିପଦା, ୩|୬ : ମହଙ୍ଗା ପଡ଼ିଲା ଏସଆଇଆର କାମରେ ଅବହେଳା କରିବା। ଏସଆଇଆର କାମରେ ଅବହେଳା ତଥା ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ବିଫଳ ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଡିଓ ବନଜା ଦାସଙ୍କୁ ନିଲମ୍ବିତ କରାଯାଇଛି। ବଡ଼ସାହିର ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବନଜା ଦାସ ଦାୟିତ୍ଵରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ପାଇଁ ନିଲମ୍ବନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ। ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (ଏସଆଇଆର-୨୦୨୬) କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତ ମେ’ ୨୩ ତାରିଖରେ ଆୟୋଜିତ ଭର୍ଚୁଆଲ୍ ଟ୍ରେନିଂରେ ସ୍ମୃତିମୟୀ ବନଜା ଦାସ ଅନୁପସ୍ଥିତ ଥିଲେ। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ, ଯାହା ତାଙ୍କର ସରକାରୀ ନିୟମ ପ୍ରତି ଉଦାସୀନତାକୁ ଦର୍ଶାଉଛି। ଏହାଛଡ଼ା ମେ’ ୨୬ ଓ ୨୭ ତାରିଖରେ ବିଏଲଓ ଏବଂ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ସେ ବିଫଳ ହେବା ସହ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ମନମୁଖୀ ଭାବେ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ। କେବଳ ସେତିକି ନୁହେଁ, ମେ ୨୫ ଓ ୨୬ ତାରିଖରେ ସେ କାଜୁଆଲ ଲିଭ୍ ପାଇଁ ଆବେଦନ କରିଥିଲେ ଏବଂ ମେ ୨୮ ତାରିଖରେ ବିନା କୌଣସି ପୂର୍ବ ସୂଚନାରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। ଯାହା ପ୍ରଶାସନିକ ଶୃଙ୍ଖଳାର ସମ୍ପୂର୍ଣ୍ଣ ବିରୋଧୀ। ତାଙ୍କର ଏଭଳି ବାରମ୍ବାର ଅନୁପସ୍ଥିତି ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବଡ଼ସାହି ବ୍ଲକରେ ଏସଆଇଆର-୨୦୨୬ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ ର ଉଲ୍ଲଂଘନ କରିଥିବା ଯୋଗୁଁ ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ (ସିସିଏଣ୍ଡଏ) ରୁଲ୍ସ, ୧୯୨ ଅନୁଯାୟୀ ତୁରନ୍ତ ନିଲମ୍ବନ କରିବାକୁ ଏହି ଚିଠିରେ ସ୍ପଷ୍ଟ କରାଯାଇଛି।

