ଜାତୀୟତାଜା ଖବରରାଜ୍ୟ

ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ଋତବ୍ରତ ବାନାର୍ଜୀ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ୍‌ ବି‌ରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଏପରିକି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷର ଚାବି ମଧ୍ୟ ବାଚସ୍ପତି ତାଙ୍କୁ ହସ୍ତାନ୍ତର କରିଛନ୍ତି।  ଋତବ୍ରତଙ୍କୁ ୬୦ ଜଣ ବିଧାୟକ ସମର୍ଥନ କରୁଥିବା ନେଇ ଏକ ଚିଠି ପାଇବାପରେ ବାଚସ୍ପତି ତାଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଏହି ଘଟଣାକ୍ରମ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ଏକ ରାଜନୈତିକ ଭୂକମ୍ପ ଆଣିଛି।  ଋତବ୍ରତଙ୍କ ସହ ୫୮ ବିଧାୟକଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ୨ ବିଧାୟକ ଏବେ ରାଜ୍ୟ ବାହାରେ ଅଛନ୍ତି। ଟିଏମ୍‌ସିରେ ଏହି ବଡ଼ ବିଭାଜନ ମମତାଙ୍କ ରାଜନୈତିକ ପ୍ରଭାବକୁ ସଙ୍କୁଚିତ କରିଦେବା ସହ ଏବେ ଦଳ ଉପରେ ତାଙ୍କର ନିୟନ୍ତ୍ରଣକୁ ନେଇ ପ୍ରଶ୍ନଚିହ୍ନ ଲଗାଇଦେଇଛି।

ସେହିପରି ଜାଭେଦ ଖାନ, ସନ୍ଦୀପନ ସାହା, ସବିନା ଜସ୍ମିନ, ଶିଉଳି ସାହାଙ୍କୁ ଟିଏମ୍‌ସି ବିଧାୟକ ଦଳର ଉପନେତା ନିଯୁକ୍ତ କରାଯାଇଛି।  ବିରୋଧୀ ଦଳ ନେତା ନିଯୁକ୍ତ ହେବାପରେ ଋତବ୍ରତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦଳ ଏବେ ବି ଟିଏମ୍‌ସି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହାର ନେତା ବିବେଚନା କରୁଛି ଏବଂ ମାର୍ଗଦର୍ଶକ ହେବାକୁ ଆମେ ମମତାଙ୍କୁ ଅନୁରୋଧ କରିବୁ ବୋଲି ଋତବ୍ରତ କହିଛନ୍ତି।  ଋତବ୍ରତ ସ୍ପଷ୍ଟ କରିଛନ୍ତି ‌ଯେ ବିଦ୍ରୋହୀ ବିଧାୟକମାନେ ମମତାଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିବେ ନାହିଁ, କିନ୍ତୁ ସାଂସଦ ଅଭିଷେକ ବାନାର୍ଜୀଙ୍କ ଟିଏମ୍‌ସି ବିଧାୟକ ଦଳ ଉପରେ କୌଣସି ନିୟନ୍ତ୍ରଣ ରହିବ ନାହିଁ।

Leave a Reply

Your email address will not be published. Required fields are marked *