ଆନ୍ତର୍ଜାତୀୟତାଜା ଖବର

ଯୁଦ୍ଧ ବିରତି ଘୋଷଣା, ଇସ୍ରାଏଲ-ଲେବାନନ୍ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ, ୪।୬: ଦୀର୍ଘ ଦିନ ଧରି ଅଶାନ୍ତ ହୋଇ ପଡ଼ିଥିବା ମଧ୍ୟ-ପ୍ରାଚ୍ୟରେ ଏବେ ଶାନ୍ତି ଫେରିବାକୁ ଯାଉଛି। ଇସ୍ରାଏଲ-ଲେବାନନ୍ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଥିବାବେଳେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାରିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଲାଗି ରହିଥିବା ଭୟଙ୍କର ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର କୂଟନୈତିକ ସଫଳତା ମିଳିଛି । ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧବିରତି ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଆମେରିକାର ମଧ୍ୟସ୍ଥତା ଏବଂ ବିଶେଷ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି । ୱାଶିଂଟନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକ ପରେ ଜାରି କରାଯାଇଥିବା ମିଳିତ ବିବୃତି ଅନୁଯାୟୀ, ଏହି ଯୁଦ୍ଧବିରତି କେବଳ କାଗଜପତ୍ରରେ ସୀମିତ ନରହି ଏକ ସ୍ଥାୟୀ ଶାନ୍ତି ପ୍ରକ୍ରିୟାରେ ପରିଣତ ହେବା ପାଇଁ କିଛି କଠୋର ସର୍ତ୍ତ ରଖାଯାଇଛି । ଏହି ଶାନ୍ତି ଚୁକ୍ତି ପଛରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକ ବଡ଼ ଭୂମିକା ରହିଛି । ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ଟ୍ରମ୍ପ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପ ପରେ, ଇସ୍ରାଏଲ ନିଜର ସେନାକୁ ଲେବାନନର ରାଜଧାନୀ ବେରୁତ ଆଡ଼କୁ ନ ପଠାଇବା ପାଇଁ ରାଜି ହୋଇଛି । ଟ୍ରମ୍ପ ଦାବି କରିଛନ୍ତି ଯେ ବେରୁତ ଅଭିମୁଖେ ଯାଉଥିବା ଇସ୍ରାଏଲୀ ସୈନ୍ୟମାନଙ୍କୁ ପଛକୁ ଫେରାଇ ଅଣାଯାଇଛି । ଇସ୍ରାଏଲ ଏବଂ ଲେବାନନ୍ ସୀମାରେ ଥିବା ଲିଟାନୀ ନଦୀର ଦକ୍ଷିଣ ଆଞ୍ଚଳିକ ସେକ୍ଟରରୁ ହିଜବୁଲ୍ଲାର ସମସ୍ତ ସଶସ୍ତ୍ର କାର୍ଯ୍ୟକଳାପ ଏବଂ ସୈନ୍ୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ପଡ଼ିବ । ଇରାନ ସମର୍ଥିତ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରକୁ ରକେଟ୍ କିମ୍ବା ମିସାଇଲ୍ ମାଡ଼ ସମ୍ପୂର୍ଣ୍ଣ ବନ୍ଦ ହେଲେ ହିଁ ଏହି ସିଜଫାୟାର୍ ପ୍ରଭାବଶାଳୀ ରହିବ । ଏଠାରେ ଥିବା ସମସ୍ତ ବେଆଇନ ସଶସ୍ତ୍ର ଗୋଷ୍ଠୀର ସଂଗଠନକୁ ଭାଙ୍ଗିବା ଏବଂ ଭବିଷ୍ୟତରେ ସେମାନଙ୍କର ପୁନରୁଦ୍ଧାରକୁ ରୋକିବା ପାଇଁ ଏକ ସୁରକ୍ଷା ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *