ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ ପାଇଁ ରୂପରେଖ ଉପକୃତ ହେବେ ୬ ଜିଲ୍ଲାବାସୀ
ରାୟଗଡ଼ା, ୧|୬(ସ.ପ୍ର): ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସଂପ୍ରସାରଣ ହେବ ରେଳ ପଥ। ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ରେଳପଥ ପକ୍ଷରୁ ରୂପରେଖ ପ୍ରସ୍ତୁତ ହୋଇଛି। ଏହି ନୂତନ ଡିଭିଜନ୍ ଅଧୀନରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, କନ୍ଧମାଳ ଜିଲ୍ଲା ରହିବ। ୬୦୦ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ ରାୟଗଡ଼ାରେ କାର୍ଯ୍ୟ କରିବେ। ଦକ୍ଷିଣ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ପ୍ରାୟ ୧୩୬୦ କିଲୋମିଟର ବ୍ୟାପ୍ତ ଏବଂ ପାଖାପାଖି ୨୦୦୦୦ କୋଟି ଟଙ୍କାର ବିନିଯୋଗ ସହ ଅନେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ନିରୀକ୍ଷଣକୁ ତ୍ୱରାନ୍ୱିତ କରିବ। ହୋଟେଲ୍, ବିଦ୍ୟାଳୟ, ହସ୍ପିଟାଲ, ଦୋକାନ ଓ ସେବା କ୍ଷେତ୍ରଗୁଡ଼ିକ ଏଥିରୁ ସିଧାସଳଖ ଲାଭାନ୍ୱିତ ହେବେ। ରେଳ କଲୋନି ଓ ପ୍ରଶାସନିକ କେନ୍ଦ୍ର ପ୍ରତିଷ୍ଠା ଦ୍ବାରା ରାୟଗଡ଼ା ବିକାଶ ଦିଗରେ ଅଗ୍ରସର ହେବ। ଏହି ଡିଭିଜନ୍ ୪୦ ମିଲିୟନ ଟନ୍(ଏମ୍ଟି)ରୁ ଅଧିକ ମାଲ୍ ପରିବହନ କରିବ। ଏହି ଟର୍ମିନାଲଗୁଡ଼ିକ କେବଳ ପରିବହନ ଲକ୍ଷ୍ୟ ମଧ୍ୟରେ ସୀମିତ ନୁହେଁ, ବରଂ କାର୍ଗୋ ଟର୍ମିନାଲ୍ଗୁଡ଼ିକ ଶିଳ୍ପ କ୍ଲଷ୍ଟରିଂ, ଯେପରିକି ଗୋଦାମ ଗୃହ, ଲଜିଷ୍ଟିକ୍ସ ଫାର୍ମ, ପ୍ୟାକେଜିଂ ୟୁନିଟ୍ ଓ ଉତ୍ପାଦନ ଆନୁଷଙ୍ଗିକ ସଂସ୍ଥାଗୁଡ଼ିକୁ ସେହି ଅଞ୍ଚଳକୁ ଆକର୍ଷିତ କରିବ। ରେଳ ମଣ୍ଡଳ ଅଧୀନରେ ଏବେ ୧୩୦ କିମି ବିଶିଷ୍ଟ ଜୟପୁର-ମାଲକାନଗିରି ନୂଆ ଲାଇନ ପ୍ରକଳ୍ପ, ୩୮ କିମିର ଜୟପୁର-ନବରଙ୍ଗପୁର, ୧୧୬.୨୧ କିମିର ଜୁନାଗଡ଼-ନବରଙ୍ଗପୁର, ୧୭୩.୬୧ କିମିର ମାଲକାନଗିରି-ପାଣ୍ଡୁରଙ୍ଗାପୁରମ୍ ଭାୟା ଭଦ୍ରାଚଲମ୍ ନୂଆ ଲାଇନ୍ ପ୍ରକଳ୍ପ ଓ ୭୩.୬୨ କିମିର ଗୁଣପୁର-ଥେରୁବାଲି ନୂଆ ଲାଇନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। କୋଟ୍ଟାବାଲସା-କୋରାପୁଟ ଦୋହରୀକରଣ ପ୍ରକଳ୍ପ(୧୮୯.୨୭୮ କିମି), କୋରାପୁଟ-ସିଙ୍ଗାପୁରରୋଡ୍ କ୍ଷମତା ବୃଦ୍ଧି ପ୍ରକଳ୍ପ, କିରଣ୍ଡୁଲ-ଜଗଦଲପୁର ଓ ଜଗଦଲପୁର-କୋରାପୁଟ ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟ ମଧ୍ୟ ହେଉଛି। ଏହାବ୍ୟତୀତ ଟ୍ରାଫିକ୍ ବାଇପାସ୍ ପାଇଁ ସିଙ୍ଗାପୁରରୋଡ୍ଠାରେ ଫ୍ଲାଏଓଭର ପ୍ରକଳ୍ପ, ଗୁଣପୁର-ପାରଳାଖେମୁଣ୍ଡି ସେକ୍ସନର ସୀତାପୁରମ୍, ବଂଶୀଧାରା ଓ କାଶୀନଗର ଅଞ୍ଚଳରେ କ୍ରସିଂ ଷ୍ଟେସନର ବିକାଶ ଏବଂ ସିମିଳିଗୁଡ଼ା-କାରାକାବାଲସା ସେକ୍ସନରେ ୟାର୍ଡ ଆଧୁନିକୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରହିଛି।

