ଭକ୍ତିର ମୂଲ୍ୟ ବହୁତ ବଡ଼
ସୁଦାମା ଓ ଶ୍ରୀକୃଷ୍ଣ ଛୋଟବେଳର ମିତ୍ର ଥିଲେ। ସେମାନେ ଏକସାଙ୍ଗେ ଗୁରୁକୁଳରେ ପଢୁଥିଲେ। ସୁଦାମା ବହୁତ ଗରିବ ଥିଲେ, କିନ୍ତୁ ସେ ଅତ୍ୟନ୍ତ ସତ୍ୟବାନ ଓ ଭକ୍ତିଶୀଳ ଥିଲେ। ସୁଦାମାଙ୍କ ଘରେ ଦାରିଦ୍ର୍ୟ ବହୁତ ବଢ଼ିଗଲା। ଗଣ୍ଡେ ଖାଇବାକୁ ମଧ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା। ଓଳିଏ ଖାଇଲେ ଓଳିଏ ଓପାସରେ ଶୋଇବାକୁ ପଡ଼ୁଥିଲା। ଦିନେ ସୁଦାମାଙ୍କ ସ୍ତ୍ରୀ କହିଲେ,“ତୁମେ ତୁମ ପୁରୁଣା ବନ୍ଧୁ କୃଷ୍ଣଙ୍କ ପାଖକୁ ଯାଅ, ସେ ତୁମର ନିଶ୍ଚୟ ସହାୟତା କରିବେ। ସୁଦାମା ଲଜ୍ଜାରେ କିଛି ନେବାକୁ ଚାହୁଁନଥିଲେ, କିନ୍ତୁ ସ୍ତ୍ରୀ ତାଙ୍କୁ ହାତରେ କିଛି ଖୁଦ ଭଜା ଦେଇ କୃଷ୍ଣଙ୍କ ପାଖକୁ ପଠାଇଲେ। ସେ ଦ୍ୱାରିକାକୁ ପହଞ୍ଚିଲେ। ଶ୍ରୀକୃଷ୍ଣ ସୁଦାମାଙ୍କୁ ଦେଖି ବହୁତ ଖୁସି ହେଲେ। ଏତେ ଦିନ ପରେ ନିଜ ପ୍ରିୟ ବନ୍ଧୁଙ୍କୁ ପାଖରେ ପାଇ ଶ୍ରୀକୃଷ୍ଣ ଭାବବିହ୍ବଳ ହୋଇଯାଇଥିଲେ। ସେ ନିଜେ ଦୌଡ଼ି ଯାଇ ସୁଦାମାଙ୍କୁ ଆଲିଙ୍ଗନ କଲେ। ଶ୍ରୀକୃଷ୍ଣ ସୁଦାମାଙ୍କୁ ସିଂହାସନରେ ବସାଇ ତାଙ୍କ ପାଦ ପ୍ରକ୍ଷାଳନ କଲେ। ଏହା ଦେଖି ସବୁ ଲୋକ ଆଶ୍ଚର୍ୟ ହେଲେ।କୃଷ୍ଣ ପଚାରିଲେ, ବନ୍ଧୁ-“ମୋ ପାଇଁ କିଛି ଆଣିଛ କି?”ସୁଦାମା ଲଜ୍ଜାରେ ଖୁଦ ଭଜା ଲୁଚାଇ ରଖିଥିଲେ, କିନ୍ତୁ କୃଷ୍ଣ ସେହି ଖୁଦ ନେଇ ବହୁତ ଆନନ୍ଦରେ ଖାଇଲେ। ସୁଦାମା କିଛି ମାଗିଲେ ନାହିଁ। ସେ ଶାନ୍ତିରେ ଘରକୁ ଫେରିଗଲେ। ଘରକୁ ଫେରିଲା ପରେ ଦେଖିଲେ, ତାଙ୍କ ଛୋଟ ଝୋପଡ଼ି ଏକ ସୁନ୍ଦର ମହଲରେ ପରିଣତ ହୋଇଯାଇଛି। ସେ ବୁଝିଲେ ଯେ କୃଷ୍ଣ ତାଙ୍କୁ ଆଶୀର୍ବାଦ କରିଛନ୍ତି। ଏମିତି ବନ୍ଧୁ- କିଛି ନ ମାଗିଲେ ବି ସବୁ ଦୁଃଖ ବୁଝିପାରେ, ସେ ହେଉଛନ୍ତି ଶ୍ରୀକୃଷ୍ଣ।

