ତାଜା ଖବର

ନିଆରା ବ୍ୟାଙ୍କ, ଟଙ୍କା ନୁହେଁ ଜମା ହେଉଛି ଧାନ

ସମ୍ବଲପୁର,୩|୬(ସପ୍ର ): ବ୍ୟାଙ୍କ ଖୋଲା ଯାଇଛି, ହେଲେ ଏଠି ଟଙ୍କା ନୁହେଁ  ଧାନ ଜମା କରାଯାଉଛି। ଅମଳ ପରେ ଗାଁର ସମସ୍ତ ଚାଷୀ କିଛି କିଛି ଧାନ ଆଣି ଏହି ବ୍ୟାଙ୍କରେ ରଖିଥାନ୍ତି। ଆଉ ଜରୁରୀ ପଡ଼ିଲେ ସେଥିରୁ ଧାନ ସୁତ୍ରରେ ନେଇଥାନ୍ତି। ଲୋକଙ୍କ ସୁବିଧା ଅସୁବିଧାବେଳେ ବହୁତ କାମରେ ଆସେ ଏହି ବ୍ୟାଙ୍କ। ଏହି ବ୍ୟାଙ୍କ ଗାଁ ଲୋକେ ନିଜେ ଖୋଲିଥିବାବେଳେ ସମସ୍ତେ ମିଳିମିଶି ପରଚାଳନା କରିଥାନ୍ତି। ସମ୍ୱଲପୁର ଜିଲ୍ଲାର ଜମନକିରା ବ୍ଲକ୍ ଟିକିବା କନ୍ଧପଡ଼ାରେ ଖୋଲିଛି ନିଆରା ବ୍ୟାଙ୍କ। ଏହି ଗାଁରେ ମୋଟ ୪୦ଟି ସରଳ ଆଦିବାସୀ ପରିବାର ରହୁଛନ୍ତି। ସମସ୍ତେ ଅତ୍ୟନ୍ତ ସଚ୍ଚୋଟ ଓ କର୍ତ୍ତବ୍ୟ ପରାୟଣ। ଗତ ବହୁ ବର୍ଷ ଧରି ଚାଲିଛି ଗାଁରେ ଏକ ନିଆରା ଧାନ ବ୍ୟାଙ୍କ୍। ଏଠାରେ ଟଙ୍କା ନୁହେଁ, ଧାନ ହିଁ ସମ୍ପଦ।  ଫସଲ ସମୟରେ ପ୍ରତ୍ୟେକ ପରିବାର ନିଜ ଅମଳରୁ କିଛି ଧାନ ଏହି ବ୍ୟାଙ୍କରେ ଜମା କରନ୍ତି। ଯେତେବେଳେ କୌଣସି ପରିବାରେ ଅଭାବ ଅନାଟନ ହୁଏ, କିମ୍ବା ହଠାତ୍ ଧାନର ଆବଶ୍ୟକତା ପଡ଼େ, ସେତେବେଳେ ସେମାନେ ଏଠାରୁ ଧାର ସୂତ୍ରରେ ଧାନ ନିଅନ୍ତି। ଯେତିକି ନେବେ, ତା’ଠାରୁ କିଛି ଧାନ ଅଧିକ ଦେଇ ଠିକ୍ ସମୟରେ ଫେରସ୍ତ କରିବାକୁ ହେବ। ଏହି ଅତିରିକ୍ତ ଧାନ ହିଁ ବ୍ୟାଙ୍କର ପୁଞ୍ଜି ବଢ଼ାଏ ଓ ଆଗାମୀ ଦିନରେ ଆଉ କାହାକୁ ସାହାଯ୍ୟ କରିବାରେ କାମ ଆସେ। ଏହି ଧାନ ବ୍ୟାଙ୍କର ସୁଚାରୁ ପରିଚାଳନା ପାଇଁ ଗାଁର ଯୁବକମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କାହାର ଅସୁବିଧା ହେଲେ ସେ ସିଧା କମିଟି ନିକଟରେ ଜଣାନ୍ତି। କମିଟି ଆଲୋଚନା କରି ଆବଶ୍ୟକ ଅନୁଯାୟୀ ଧାନ ଦିଅନ୍ତି। କେହି କେବେ ହିସାବରେ ଠକେଇ କରନ୍ତି ନାହିଁ। ଗାଁର ଜଣେ ବୟସ୍କ ଶ୍ୟାମସୁନ୍ଦର୍ ବେହେରା କହନ୍ତି, “ଏହା କେବଳ ଧାନର କାରବାର ନୁହେଁ, ଏହା ଆମ ଭାଇଚାରାର ବ୍ୟାଙ୍କ୍। କନ୍ଧପଡ଼ା (ଟିକିବା)ଏକ ଆଦିବାସୀ ବହୁଳ ଗାଁ, ଏଠାରେ ପ୍ରାୟ ୪୦ଟି ପରିବାରକୁ ନେଇ ଏହି ଗାଁଟି ଦିନେ ସାରା ବ୍ଲକ୍ ଅଞ୍ଚଳରେ ଭାଗବତ ଚର୍ଚ୍ଚା ପାଇଁ ପ୍ରସିଦ୍ଧ ଥିଲା। ସନ୍ଧ୍ୟା ହେଲେ ସ୍ୱର୍ଗତ ବାଣେଶ୍ୱର ଝାଙ୍କର ଓ ସାରଥୀ ଝାଙ୍କରଙ୍କ ତବଲା ମାଡ଼ରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। ଆଜକୁ ପ୍ରାୟ ୪୫ ବର୍ଷ ତଳର କଥା। ସେତେବେଳେ ଟିକିବା ଗାଁରେ ଧନୀ ଗୌନ୍ତିଆ ମାନଙ୍କର ଶାସନ ଚାଲିଥିଲା। ସେହି ସମୟରେ ମାତ୍ର ଏକ ଟଙ୍କାରେ ୧୬ ପଉଟି (ଖଣ୍ଡି )ଧାନ ମିଳୁଥିଲା। କିନ୍ତୁ ଗରିବଙ୍କ ପାଇଁ ସେହି ଗୋଟିଏ ଟଙ୍କା ରୋଜଗାର କରିବା ମଧ୍ୟ ସ୍ୱପ୍ନ ଥିଲା। ଗୌନ୍ତିଆମାନେ ନିରୀହ ଗ୍ରାମବାସୀଙ୍କୁ କମ୍ ମଜୁରି ଦେଇ ଦିନରାତି ଖଟାଉଥିଲେ। ଶୋଷଣ ଏମିତି ରୂପ ନେଇଥିଲା ଯେ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ବି ସମୟ ପାଉନଥିଲା। ଏହି ଅତ୍ୟାଚାରରେ ଅତିଷ୍ଠ ହୋଇ କନ୍ଧପଡ଼ାର ସମସ୍ତ ଗରିବ ପରିବାର ଏକାଠି ହେଲେ। ଗାଁ ର ଭାଗବତ ଟୁଙ୍ଗି ସଭାରେ ବସି ନିଷ୍ପତ୍ତି ନେଲେ ଯେ, ଶୋଷଣ ଆଗରେ ଆଉ ମୁଣ୍ଡ ନୁଆଁଇବେ ନାହିଁ। ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ପ୍ରତି ପରିବାର ପ୍ରତି ମାସରେ ଗୋଟିଏ ‘ମାଣ’ ଲେଖାଏଁ ଚାଉଳ ସଞ୍ଚୟ କରିବେ। ଯେତେବେଳେ କାହା ଘରେ ଚୁଲି ଜଳିବନି କିମ୍ବା କେହି ଭୋକ ଉପାସରେ ରହିବେ, ସେତେବେଳେ ଏହି ଚାଉଳ ସେମାନଙ୍କ ପେଟକୁ ଦାନା ଦେବ। ଏହି ନିଷ୍ପତ୍ତି କନ୍ଧପଡ଼ା ଗାଁକୁ ଭୋକ ଓ ଦାଦନଗିରିରୁ ମୁକ୍ତି ଦେଲା। ଏହି ବ୍ୟବସ୍ଥାକୁ ସୁଚାରୁରୂପେ ଚଳାଇବା ପାଇଁ ଗ୍ରାମବାସୀ ଦୁଇ ଜଣଙ୍କୁ ସଭାପତି ଓ ସମ୍ପାଦକ ଭାବେ ବାଛନ୍ତି। ବର୍ତ୍ତମାନର ସଭାପତି ଧରଣୀଧର ବେହେରା ଏବଂ ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ ଏହି ଧାନ ଜମାର ସମ୍ପୂର୍ଣ୍ଣ ହିସାବ ରଖନ୍ତି। ପ୍ରତିବର୍ଷ ବାର୍ଷିକ ବୈଠକରେ ଗ୍ରାମବାସୀଙ୍କ ସାମ୍ନାରେ ଏହାର ସ୍ୱଚ୍ଛ ହିସାବ ଦିଆଯାଏ। ଦିନେ ଯେଉଁ ଗାଁ ଶୋଷଣର କଳା ବାଦଲ ତଳେ ରଡ଼ି ଛାଡୁଥିଲା, ଆଜି ସେହି କନ୍ଧପଡ଼ା ନିଜର ଏକତା ଓ ଆତ୍ମନିର୍ଭରଶୀଳତା ପାଇଁ ଉଦାହରଣ ସାଜିଛି।

Leave a Reply

Your email address will not be published. Required fields are marked *