ଦେବଦୂତ ସାଜିଲେ ବୁଢ଼ୀ ମା’ ଆଇସିୟୁରେ ଥାଇ ବି ବଞ୍ଚାଇଲେ ଅନେକଙ୍କ ଜୀବନ
ପାଟନା: ବିହାର ମୁଜାଫରପୁର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଜଣେ ବୁଢ଼ୀମାଆ ଦେବଦୂତ ସାଜିଥିବା ଦେଖାଯାଇଛି। ସ୍ଥାନୀୟ ପ୍ରସାଦ ହସ୍ପିଟାଲ୍ର ଆଇସିୟୁ ୱାର୍ଡରେ ଶୋଇଥିଲେ ରୋଗୀ, ରାତି ଅଧରେ ଲାଗିଗଲା ନିଆଁ ଆଉ ଦୁର୍ଘଟଣା ନେଇଗଲା ୫ ଜଣଙ୍କ ଜୀବନ। ଆଉ ଏହାରି ଭିତରେ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ୯୫ ବର୍ଷର ବୃଦ୍ଧା ନିଜର ସାହସ ଏବଂ ବୁଦ୍ଧିବିବେକ ବଳରେ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଘଟଣାଟି ଘଟିଥିଲା ରାତି ପ୍ରାୟ ୩ଟା ୩୦ ମିନିଟ୍ ସମୟରେ। ଯେତେବେଳେ ସାରା ହସ୍ପିଟାଲ୍ ଶୋଇଥିଲା, ସେତେବେଳେ ହଠାତ୍ ଆଇସିୟୁ ୱାର୍ଡ ଭିତରେ କଳା ଧୁଆଁ ବ୍ୟାପିବାକୁ ଲାଗିଲା। ମାତ୍ର କେଇ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ୱାର୍ଡ ଧୂଆଁମୟ ହୋଇଗଲା ଏବଂ ରୋଗୀମାନଙ୍କ ମଧ୍ୟରେ କାନ୍ଦବୋବାଳି ଓ ଆତଙ୍କ ଖେଳିଗଲା। ହସ୍ପିଟାଲ୍ ଷ୍ଟାଫ୍ ଏବଂ ସେମାନଙ୍କ ସମ୍ପର୍କୀୟମାନେ କିଛି ବୁଝିବା ପୂର୍ବରୁ ସ୍ଥିତି ହାତଛଡ଼ା ହୋଇ ସାରିଥିଲା। ଏହି ବିପତ୍ତି ସମୟରେ ଆଇସିୟୁରେ ଭର୍ତ୍ତି ଥିବା ୯୫ ବର୍ଷୀୟା ରାଧା ଦେବୀ ଯାହା କଲେ, ତାହା କୌଣସି ଚମତ୍କାର ଠାରୁ କିଛି କମ୍ ନୁହେଁ । ନିଜେ ଗୁରୁତର ହୋଇ ଆଇସିୟୁରେ ଥିଲେ କିନ୍ତୁ ଏହା ସତ୍ତ୍ୱେ ସେ ଭୟଭୀତ ହୋଇନଥିଲେ ଏବଂ ନିର୍ଭୟର ସହ ଅନେକ ରୋଗୀମାନଙ୍କ ପାଇଁ ଦେବଦୂତ ହୋଇ ଆସିଥିଲେ ଏହି ବୁଢ଼ୀ ମା’ । ବାହାରକୁ ଆସିବା ମାତ୍ରେ ସେ ସମୟ ନଷ୍ଟ ନକରି ସେଠାରେ ଥିବା ସୁରକ୍ଷା ଗାର୍ଡଙ୍କୁ ଆଇସିୟୁ ଭିତରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଥିଲେ । ରାଧା ଦେବୀଙ୍କ ଠାରୁ ଖବର ପାଇବା ପରେ ହସ୍ପିଟାଲ୍ ପ୍ରଶାସନ ତୁରନ୍ତ ସକ୍ରିୟ ହୋଇଥିଲା ଏବଂ ଷ୍ଟାଫ୍ମାନେ ଭିତରକୁ ଯାଇ ଅନ୍ୟ ରୋଗୀମାନଙ୍କୁ ବାହାରକୁ ବାହାର କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା କଥା, ଯଦି ରାଧା ଦେବୀ ଆଉ କିଛି ମିନିଟ୍ ବିଳମ୍ବ କରିଥାନ୍ତେ ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିଯାଇଥା’ନ୍ତା। ଏହି ବୟସରେ ଯେଉଁଠି ସାଧାରଣ ଲୋକେ ଆତ୍ମବିଶ୍ୱାସ ହରାଇ ବସନ୍ତି, ସେଠାରେ ରାଧା ଦେବୀଙ୍କର ଏହି କାମ ଏବଂ ସାହସ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ବର୍ତ୍ତମାନ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ରାଧାଦେବୀଙ୍କ ସାହସକୁ ଭୁରି ଭୁରି ପ୍ରଶଂସା କରାଯାଉଛି। ଯେତେବେଳେ ଏନେଇ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେ କହିଥିଲେ ,‘‘ମୁଁ ଦେଖିଲି ରୁମ୍ ଭିତରେ ଧୂଆଁ ଭର୍ତ୍ତି ହେଉଛି । ସ୍ଥିତିର ଗମ୍ଭୀରତାକୁ ଦେଖି ନିଆଁ ଲାଗିଥିବା ଜାଣିଲି ଏବଂ କୌଣସି ଆଡ଼କୁ ନ ଚାହିଁ ମୁଁ ମୋ ମୁହଁରୁ ଅକ୍ସିଜେନ୍ ମାସ୍କ ହଟାଇ ଦେଲି ଏବଂ କଷ୍ଟେମଷ୍ଟେ ୱାର୍ଡ ବାହାରକୁ ଚାଲି ଆସି ସୁରକ୍ଷାକର୍ମୀଙ୍କୁ ଜଣାଇଲି ।”ଏହି ଦୁର୍ଘଟଣା ନିଶ୍ଚିତ ଭାବେ ହସ୍ପିଟାଲର ବଡ଼ ଅବହେଳାକୁ ପଦାରେ ପକାଇଛି, ଯାହାର ତଦନ୍ତ ହେବା ଜରୁରୀ ।

