ଇସ୍ରାଏଲ ଆକ୍ରମଣରେ ହମାସର ନୂତନ ମୁଖ୍ୟ ନିପାତ
ଗାଜା, ୨୯|୫ : ଗାଜାରେ ଆତଙ୍କବାଦୀ ସଂଗଠନ ହମାସର ନୂତନ ମୁଖ୍ୟ ମହମ୍ମଦ ଓଦେହକୁ ଇସ୍ରାଏଲ ଦ୍ବାରା ଆକ୍ରମଣ କରି ହତ୍ୟା କରାଯାଇଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ, ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନର ସଶସ୍ତ୍ର ଶାଖାର କମାଣ୍ଡରଙ୍କୁ ଗତକାଲି ନିପାତ କରାଯାଇଛି । ହମାସ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। କାଟଜ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଅକ୍ଟୋବର ୭ ହତ୍ୟାକାଣ୍ଡର ନେତୃତ୍ୱ ନେଇଥିବା ସମସ୍ତଙ୍କୁ ନିପାତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସେମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି ସମସ୍ତେ ମୃତ୍ୟୁ ପାଇଁ ଚିହ୍ନିତ ହୋଇଛନ୍ତି। ଏହି ଆକ୍ରମଣ ସମ୍ବନ୍ଧରେ ଘୋଷଣା କରିବା ପରେ କାଟଜ୍ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ଅକ୍ଟୋବର ୭ ହତ୍ୟାକାଣ୍ଡ ସମୟରେ ହମାସ ଗୁଇନ୍ଦା ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲା ଏବଂ ପ୍ରାୟ ଏକ ସପ୍ତାହ ପୂର୍ବରୁ ତାକୁ ଏଜେଡିନ୍ ଅଲ୍-ହଦ୍ଦାଦର ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା। ମେ ୧୫ରେ ଇସ୍ରାଏଲ ଆକ୍ରମଣରେ ହଦ୍ଦାଦ ନିହତ ହୋଇଥିଲା।

