ବ୍ୟକ୍ତିଗତ ସୂଚନା ଥିବା ଟ୍ରମ୍ପ ପ୍ରଶାସନର ଡାଡାବେସ ରଦ୍ଦ କଲେ ବିଚାରପତି
ୱାଶିଂଟନ : ଟ୍ରମ୍ପ ପ୍ରଶାସନର ଡାଟାବେସକୁ ରଦ୍ଦ କରିଛନ୍ତି ଆମେରିକାର ଜଣେ ଫେଡେରାଲ ବିଚାରପତି । ଏଥିରେ ଆମେରିକୀୟ ନାଗରିକଙ୍କ ବିଷୟରେ ଗୋପନୀୟ ସୂଚନା ଥିବା ଜଣାପଡ଼ିବା ପରେ ଟ୍ରମ୍ପ ପ୍ରଶାସନର ଏହି ଡାଟାବେସକୁ ରଦ୍ଦ କରିଛନ୍ତି। ବିଚାରପତି ଏହାକୁ ବେଆଇନ ଘୋଷଣା କରିଛନ୍ତି କାରଣ ଅନେକ ରାଜ୍ୟ ଏହାକୁ ବ୍ୟବହାର କରି ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ୍ ଦେଇଥିଲେ। ଆମେରିକାର ଫେଡେରାଲ କୋର୍ଟର ବିଚାରପତି ସ୍ପାର୍କଲ ସୁକନାନନ ଏକ ରାୟରେ ଲେଖିଛନ୍ତି, ଫେଡେରାଲ ସରକାର ଆମେରିକୀୟ ନାଗରିକଙ୍କ ଗୋପନୀୟତା ଅଧିକାରକୁ ଜାଣିଶୁଣି ଏପରି ଭାବରେ ଉଲ୍ଲଂଘନ କରିଛନ୍ତି ଯାହା ଭୋଟ ଦେବାର ଗୁରୁତ୍ୱପୂର୍ଣ୍ଣ ଅଧିକାରକୁ ବିପଦରେ ପକାଇଛି। ଏପରି ଘଟଣା ଘଟିବା ନେଇ କୋର୍ଟ ନୀରବଦ୍ରଷ୍ଟା ସାଜି ଚୁପ୍ ରହିପାରିବେ ନାହିଁ। ସୁକନାନନ କହିଛନ୍ତି, ଫେଡେରାଲ ଏଜେନ୍ସିଗୁଡ଼ିକ ଫେଡେରାଲ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ତରବରିଆ ଭାବେ କରିଥିଲେ। ଫଳରେ ଲକ୍ଷ ଲକ୍ଷ ଆମେରିକୀୟଙ୍କ ବ୍ୟକ୍ତିଗତ ସୂଚନାକୁ ଅବିଶ୍ୱସନୀୟ ଭାବରେ ସଂଗ୍ରହ କରାଯାଇ ପୁନଃବ୍ୟବହାର କରାଯାଇଥିଲା। ଯେଉଁଥିରେ ନାଗରିକତ୍ୱ ତଥ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ଯାହାକୁ ସରକାର ପୂର୍ବରୁ ଅବିଶ୍ୱସନୀୟ ବୋଲି ଜାଣିଥିଲେ। ସେବେଠାରୁ, ରାଜ୍ୟଗୁଡ଼ିକ ଡାଟାବେସ୍ ପ୍ରବେଶ କରିବା ପାଇଁ ଫେଡେରାଲ ସରକାରଙ୍କ ସହିତ ସହଭାଗୀ ହୋଇଛନ୍ତି ଏବଂ ମିଥ୍ୟା ସୂଚନା ଆଧାରରେ ଆମେରିକୀୟ ନାଗରିକମାନଙ୍କୁ ଭୋଟର ତାଲିକାରୁ ହଟାଇ ଦେଉଛନ୍ତି ବୋଲି ସୁକନାନନ କହିଛନ୍ତି । ଆମେରିକା ଜିଲ୍ଲା ବିଚାରପତିଙ୍କ ଅନୁଯାୟୀ, ଏହି ମାମଲା ଦୁଇଟି ମୌଳିକ ଅଧିକାରକୁ ଦର୍ଶାଉଛି। ଏହା ଆମେରିକୀୟମାନଙ୍କୁ ସରକାରୀ ହସ୍ତକ୍ଷେପରୁ ରକ୍ଷା କରିଥାଏ। ସେ ଦୁଇଟି ହେଉଛି ଗୋପନୀୟତାର ଅଧିକାର ଏବଂ ଭୋଟ ଦେବାର ଅଧିକାର। ପଞ୍ଜିକୃତ ଭୋଟର କିମ୍ବା ଭୋଟ ଦେବା ପାଇଁ ପଞ୍ଜିକରଣ କରୁଥିବା ଲୋକଙ୍କ ନାଗରିକତା ତଥା ପ୍ରବାସ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ଏବଂ ସ୍ଥାନୀୟ ଅଧିକାରୀଙ୍କ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

